ତାରିଖ ସଂକ୍ରମଣ ଟେଷ୍ଟ ସଂକ୍ରମଣ ହାର
ମେ' ୨୪ ୧୦,୯୩୯ ୬୨,୨୬୧ ୧୭.୫୬ %
ମେ’ ୨୫ ୧୧,୬୨୩ ୬୯,୪୦୭ ୧୬.୭୫ %
ମେ’ ୨୬ ୬,୭୩୬ ୪୬,୨୪୧ ୧୪.୫୭ %
ମେ’ ୨୭ ୭,୨୧୬ ୪୩,୭୬୮ ୧୬.୪୯ %
ମେ’ ୨୮ ୭,୧୮୮ ୪୮,୬୪୯ ୧୪.୭୭ %
ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର । କିଛି ଦିନ ହେଲା ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିଛି ସଂକ୍ରମଣ । କିଛି ଦିନ ତଳେ ୨୫ ପ୍ରତିଶତ ଉପରକୁ ଉଠି ଯାଇଥିଲା ଟେଷ୍ଟ ପଜିଟିଭିଟି ରେଟ୍ । ତେବେ ଗତ ୫ ଦିନର ସଂକ୍ରମଣ ହାର ଉପରେ ନଜର ପକାନ୍ତୁ । ଯାହାକି ସୂଚାଉଛି, ରାଜ୍ୟରେ କରୋନା ଶୀର୍ଷ ଛୁଇଁ ତଳକୁ ଖସୁଛି ।
ମେ’ ୨୪ ତାରିଖରେ ସଂକ୍ରମଣ ହାର ଥିଲା ୧୭.୫୬ ପ୍ରତିଶତ । ତେବେ ଗତ ୨୪ ଘଂଟା ଭିତରେ ୪୮ହଜାର ୬୪୯ କରୋନା ପରୀକ୍ଷା କରାଯାଇଥିବା ବେଳେ ୭ ହଜାର ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୪.୭୭ ପ୍ରତିଶତ । ବିଶେଷଜ୍ଞଙ୍କ ମତରେ ଏହା ଇଙ୍ଗିତ କରୁଛି ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେଉଛି । ଠିକ୍ ସମୟରେ ଲକ୍ଡାଉନ କରାଯାଇଥିବାରୁ ରାଜ୍ୟରେ ଦୈନିକ ସଂକ୍ରମଣ ଗ୍ରାଫ୍ ଅତି ଉପରକୁ ଉଠିଲା ନାହିଁ, ଏହା ଫ୍ଲାଟୁ ଷ୍ଟେଜ୍ରେ ରହିଗଲା ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।
ପଜିଟିଭିଟି ରେଟ୍ ୫ ପ୍ରତିଶତ ନକମିବା ପର୍ଯ୍ୟନ୍ତ କଟକଣା କୋହଳ ନକରିବାକୁ ପରାମର୍ଶ ଦେଇଆସିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ ଲକଡାଉନକୁ ବଢ଼ାଇବେ ନା’ ରାଜ୍ୟ ସରକାର ଧୀରେ ଧୀରେ ଅନ୍ଲକ୍ କରିବା ପ୍ରକ୍ରିୟା ଆରମ୍ଭ କରିବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । ଦେଶରେ ୨୪ ଘଂଟାରେ ୧ ଲକ୍ଷ ୭୩ ହଜାର ୭୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨ଲକ୍ଷ ୮୪ ହଜାର ୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୩ହଜାର ୬୧୭ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।