ମେ’ ମାସ ପାଲଟିଥିଲା ଘାତକ, ଜୁନ ଆଣିବ ଆଶ୍ୱସ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

1,309

କନକ ବ୍ୟୁରୋ : ମେ’ ମାସ ସବୁଠୁ ଘାତକ ଥିଲା । ୩୧ ଦିନରେ ରାଜ୍ୟରେ ୩ଲକ୍ଷ ୨୦ ହଜାର ୮୦୩ ପଜିଟିଭ ଚିହ୍ନଟ ହୋଇଥିଲା । ମେ’ ମାସରେ କରୋନାରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି । ମେ’ ୨୨ରେ ରାଜ୍ୟରେ ପିକ୍ ଥିଲା ୧୨ ହଜାର ୮୫୨ । ତେବେ ଜୁନ ମାସରେ ଟ୍ରେଣ୍ଡ କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୪ ସପ୍ତାହ ପରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିବ । ସୁନ୍ଦରଗଡ଼ରେ ସଂକ୍ରମଣ ଅଧିକ ଥିଲେ ମଧ୍ୟ ହାର କମୁଥିବା ଦେଖା ଯାଉଛି । ଲକଡାଉନ କୋହଳ ହୋଇଥିବା ୩ ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା କଡା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି ।

ସେପଟେ ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ଘଂଟାରେ ୮ହଜାର ୩୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪ ହଜାର ୬୫୫ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ ହଜାର ୬୫୮ଜଣ ଅଛନ୍ତି । ସେହିପରି ଗୋଟିଏ ଦିନରେ ସଂକ୍ରମଣରେ ୩୫ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୯୩ଜଣ, ମୟୂରଭଂଜରୁ ୫୩୨, ଅନୁଗୁଳରୁ ୫୦୫ଜଣ, ସୁନ୍ଦରଗଡ଼ରୁ ୪୬୫,ବାଲେଶ୍ୱରରୁ ୪୫୨, ଢ଼େଙ୍କାନାଳରୁ ୪୦୭, ପୁରୀରୁ ୪୦୫ ନୂୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ । ସେଥିରୁ ସୁସ୍ଥ ହୋଇଛନ୍ତି ୬ଲକ୍ଷ ୭୦ ହଜାର ୫୨୭ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୯୧ ହଜାର ୬୬୩ଜଣ । ଗତକାଲି ରାଜ୍ୟରେ ୬୧ହଜାର ୬୧୩ ନମୁନା ପରୀକ୍ଷଣ ହୋଇଥିବା ବେଳେ ପଜିଟିଭ ହାର ୧୩ ଦଶମିକ ୪୯ ପ୍ରତିଶତ ରହିଛି ।