ହାଏରେ ବିଧାତା…ବାହା ହେବା ପାଇଁ ଏତେ ଧନ୍ଦା: କରୋନା କଟକଣାରେ ବି ଛାଡୁନି ବାହା ନିଶା…ବିବାହ ଉତ୍ସବରେ ସାମିଲ ହେବାକୁ ସିଫ୍ଟ ବ୍ୟବସ୍ଥା; ଶାକାହାରୀ ହୋଇଥିଲେ ସକାଳେ ଆସ, ନିରାମିଷ ହେଲେ ସଂଧ୍ୟାରେ; ସମାରୋହରେ ୪୫ ମିନିଟରୁ ଅଧିକ ସମୟ ରହିବା ମନା

993

କନକ ବ୍ୟୁରୋ: ବିବାହ ପାଇଁ ବି ଟାଇମଟେବୁଲ ଫିକ୍ସ । ଶାକାହାରୀ ହୋଇଥିଲେ ସକାଳେ ଆସନ୍ତୁ, ଆମିଷ ଖାଉଥିଲେ ସଂଧ୍ୟାରେ । କରୋନା କଟକଣା ଭିତରେ ଏଭଳି କିଛି ରୁଲ ରେଗୁଲେସନ ଦେଖିବାକୁ ମିଳିଛି ବିଭିନ୍ନ ବିବାହ ସମାରୋହରେ । ଦେଶରେ କରୋନା ମହାମାରୀ କାରଣରୁ ଚଳିତବର୍ଷ ଏପ୍ରିଲ-ମେ ମାସରେପଡିଥିବା ଅନେକ ବିବାହ କାର୍ଯ୍ୟକ୍ରମ ଟଳିଯାଇଥିବା ବେଳେ ଲକଡାଉନ କଟକଣା ଶେଷ ହେବା ପରେ ବହୁ ବିବାହ ଉତ୍ସବ ଚଳିତ ମାସରେ ହେଉଛି କିନ୍ତୁ ଜୁନ ମାସରେ ମାତ୍ର ୬ଟି ଶୁଭ ମୁହୂର୍ତ୍ତ ପଡୁଥିବା ବେଳେ ଏଥିମଧ୍ୟରୁ ଏବେ ବଂଚିଛି ମାତ୍ର ୫ଟି ମୁହୂର୍ତ୍ତ । ତେବେ ଉଭୟ ଲକଡାଉନ ଏବଂ କରୋନା ମହାମାରୀ କାରଣରୁ ସରକାରଙ୍କ ପକ୍ଷରୁ ବିବାହ କାର୍ଯ୍ୟକ୍ରମରେ ୫୦ ଜଣ ଲୋକ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି । ଫଳରେ ବିବାହ ସମାରୋହରେ ସବୁ ବନ୍ଧୁବାନ୍ଧବଙ୍କୁ ଡାକିବା ଅସମ୍ଭବ ହୋଇପଡିଛି ।

ତେବେ ଏହି ଅସମ୍ଭବ ଏବେ ସମ୍ଭବ ବି ହେବାରେ ଲାଗିଛି ଆଉ କରୋନା କଟକଣା ଭିତରେ ବି ଲୋକେ ବିବାହ ପାଇଁ ବାହାର କରିଦେଇଛନ୍ତି ଗଳାବାଟ । ପଂଜାବରେ ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ବିବାହ ସମାରୋହରେ ବନ୍ଧୁବାନ୍ଧବଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଟାଇମଟେବୁଲ ଫିକ୍ସ କରାଯାଇଛି । ତେବେ ବାହାଘରକୁ ଆସୁଥିବା କୁଣିଆଙ୍କୁ ଦୁଇଟି ସିଫ୍ଟରେ ଆସିବାକୁ କୁହାଯାଇଛି । ଯେଉଁମାନେ ନିରାମିଷ ତଥା ଶାକାହାରୀ ସେମାନଙ୍କୁ ସକାଳେ ଆସିବାକୁ କୁହାଯାଉଥିବା ବେଳେ ଆମିଷ ଖାଉଥିବା ବ୍ୟକ୍ତିଙ୍କୁ ସଂଧ୍ୟାରେ ଆସିବାକୁ ଅନୁରୋଧ କରାଯାଉଛି । ସେହିଭଳି ବାହାଘରକୁ ଆସୁଥିବା ପ୍ରିୟ ପରିଜନଙ୍କୁ ୪୫ ମିନିଟରୁ ଅଧିକ ସମୟ ନରହିବାକୁ ମଧ୍ୟ କୁହାଯାଉଛି । ଫଳରେ ବିବାହ ଉତ୍ସବରେ ପରିବାରର ସମସ୍ତ ବନ୍ଧୁବାନ୍ଧବ ସାମିଲ ହେବା ସହ କରୋନା କଟକଣାର ମଧ୍ୟ ଉଲ୍ଲଂଘନ ହେବାର କୌଣସି ପ୍ରଶ୍ନ ଉଠୁନାହିଁ ।

କାରଣ ସିଫ୍ଟ ସିଷ୍ଟମ କରିବା ଦ୍ୱାରା ୫୦ରୁ ଅଧିକ ଲୋକ ସାମିଲ ହେବା ସହ ଘରର ସମସ୍ତ ସଦସ୍ୟ ମଧ୍ୟ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ । ଏହା ଦ୍ୱାରା ନା କୌଣସି କଟକଣା ଭଙ୍ଗ ହେବ ନା ହିଁ କୌଣସି ସଂକ୍ରମଣର ଭୟ ରହିବ । ବଡ କଥା ହେଉଛି ପଂଜାବରେ ହେଉଥିବା ଏଭଳି ବିବାହ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମତି ମିଳୁଛି ।