ତେଲେଙ୍ଗାନା ବଢାଇଲା ଲକଡାଉନ୍ ଅବଧି: ମେ’ ୭ ଯାଏ ଜାରି ରହିବ ତାଲାବନ୍ଦ; ଦିଲ୍ଲୀ ଏବଂ ପଂଜାବରେ ମେ’ ୩ ଯାଏ ହଟିବନି କଟକଣା

ନିଜକୁ କରୋନା ଫ୍ରି ରାଜ୍ୟ ଘୋଷଣା କଲା ଗୋଆ

586

କନକ ବ୍ୟୁରୋ: ଏସବୁ ଭିତରେ ରାଜ୍ୟରେ ଲକଡାଉନ୍ ଅବଧିକୁ ବଢାଇଦେଇଛନ୍ତି ତେଲେଙ୍ଗାନା ସରକାର । ମେ ୩ ବଦଳରେ ମେ ୭ ତାରିଖ ଯାଏ ତେଲେଙ୍ଗାନାରେ ଲକଡାଉନ୍ ଜାରି ରହିବ । ସେପଟେ ଦିଲ୍ଲୀ ଏବଂ ପଂଜାବ ସରକାର ନିଜ ନିଜ ରାଜ୍ୟରେ ଆସନ୍ତା ମେ ୩ ତାରିଖ ଯାଏ କଟକଣା ବଳବତର ରହିବ ବୋଲି ଘୋଷଣା କରିଛନ୍ତି ।

ଅର୍ଥାତ୍ ଏହି ଦୁଇ ରାଜ୍ୟରେ ଆଜିଠାରୁ କୌଣସି କ୍ଷେତ୍ରରେ କଟକଣା କୋହଳ ହେବନାହିଁ । ରାଜ୍ୟରେ ପୂର୍ବଭଳି ଲକଡାଉନ କଡାକଡି ପାଳନ କରାଯିବ । ତେବେ ମଧ୍ୟପ୍ରଦେଶର ନିର୍ଦ୍ଦିଷ୍ଟ ଜିଲ୍ଲାରେ ଆଜିଠାରୁ କରୋନା କଟକଣା କୋହଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି । ସେପଟେ ଗୋଆ ନିଜ ରାଜ୍ୟକୁ କରୋନା ଫ୍ରି ରାଜ୍ୟ ଭାବେ ଘୋଷଣା କରିଛି । ଗୋଆରେ ଚିକିତ୍ସିତ ଥିବା ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଯିବା ପରେ ଏବଂ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ଦେଶରେ ୧୬ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୩ ଶହ ୨୪ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ୧୬ ହଜାର ୧୧୬ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୨୪ ଘଂଟାରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି ୫୧୯ ଜଣ । ଏହି ସମୟ ମଧ୍ୟରେ ୨୮୭ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ୨୩ ଶହ ୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୩ ହଜାର ୬୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଶହ ୯୩ରେ ପହଁଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୧୪ ଦିନ ମଧ୍ୟରେ ୨୩ଟି ରାଜ୍ୟର ୫୪ ଜିଲ୍ଲାରେ ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ।