ଦିଲ୍ଲୀରେ ପୁଣି ଫେରିପାରେ ତାଲାବନ୍ଦ! ଚିନ୍ତା ବଢ଼ାଇଲା କରୋନାର ୩ୟ ପର୍ଯ୍ୟାୟ ସଂକ୍ରମଣ । ସଂକ୍ରମଣ ବଢୁଥିବା ଅଂଚଳରେ କଟକଣା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଲେ କେଜ୍ରିୱାଲ

କହିଲେ, କନଟେନ୍ମେଂଟ୍ ଜୋନରେ ଘରକୁ ଘର ହେବ ସର୍ଭେ

1,768

କନକ ବ୍ୟୁରୋ: କରୋନା ଧିରେ ଧିରେ ଚାଲିଯାଉଛି ବୋଲି ଅନେକ ଚିନ୍ତା କରୁଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଛି । ଦିଲ୍ଲୀକୁ ପୁଣି ଫେରିପାରେ ଲକଡାଉନ । କରୋନା ସଂକ୍ରମଣର ଜଟିଳ ସ୍ଥିତିକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସ୍ତାବ ଦେଇଛନ୍ତି । ଦିଲ୍ଲୀରେ କରୋନାର ତୃତୀୟ ଲହଡି ଚାଲିଥିବା କୁହାଯାଉଛି । କଂଟେନମେଂଟ ଜୋନରେ ଘର ଘର ବୁଲି ସର୍ଭେ କରିବା ପାଇଁ ଆଠ ହଜାର ଦଳ ନିଯୁକ୍ତ କରାଯାଇଛି । ଏଥିସହ ଆଗାମୀ ୩ରୁ ୪ ଦିନ ଭିତରେ ଆଇସିୟୁ ବେଡ ସଂଖ୍ୟା ୩ହଜାର ୫ଶହରୁ ୬ ହଜାରକୁ ବୃଦ୍ଧି କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ଆଗାମୀ ସପ୍ତାହରେ, ନିର୍ବାଚ. ଦୁର୍ଗାପୂଜା ଓ ଦୀପାବଳିର ପ୍ରଭାବ ଦେଖିବାକୁ ମିଳିବ ।

ଗତ ଦୁଇ ସପ୍ତାହ ଧରି ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ୬ରୁ ୭ହଜାର ନୂଆ ସଂକ୍ରମଣ ରିପୋର୍ଟ ହେଉଥିବା ବେଳେ ଗତ ୨୪ଘଂଟାରେ ଏହି ସଂଖ୍ୟା ଟିକିଏ କମିଛି । କିନ୍ତୁ କରୋନା ସଂକ୍ରମଣର ତୃତୀୟ ଲହଡି କାୟାବିସ୍ତାର କରିବାକୁ ଲାଗିିଛି । ସଂକ୍ରମଣକୁ ଆୟତ କରିବା ପାଇଁ କିଛି ବଡ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି କେଜ୍ରିୱାଲ ସରକାର । ଅଧିକ ସଂକ୍ରମଣ ବ୍ୟାପୁଥିବା ସ୍ଥାନ ଗୁଡିକରେ ପୁଣି ଥରେ ଲକଡାଉନ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ପାର୍ବଣ ଋତୁ ଯୋଗୁଁ ଦିଲ୍ଲୀର ବିଭିନ୍ନ ବଜାରରେ କୋଭିଡ ନିୟମକୁ ବେଖାତିର କରାଯାଉଥିବାର ଚିତ୍ର ଦେଖିବାକୁ ମିଳିଥିଲା । ଫଳରେ ସଂକ୍ରମଣ ବଢି ଏହି ସ୍ଥାନ ଗୁଡିକ ହଟସ୍ପଟରେ ପରିଣତ ହେବ ତେଣୁ ଆବଶ୍ୟକ ପଡିଲେ ଏପରି ସ୍ଥାନ ଗୁଡିକରେ ଲକଡାଉନ କରିବାକୁ କେନ୍ଦ୍ରକୁ ଅନୁମତି ମାଗିଛନ୍ତି ଅରବିନ୍ଦ କେଜ୍ରିୱାଲ । ବିବାହ ଉତ୍ସବରେ ୨ଶହ ଲୋକଙ୍କ ସାମିଲ ହେବା ପାଇଁ ଅନୁମତି ଥିବା ବେଳେ ଦିଲ୍ଲୀରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ଏହି ସଂଖ୍ୟା ହ୍ରାସ କରିବାକୁ ନିଷ୍ପତି ନେଇଛନ୍ତି କେଜ୍ରିୱାଲ । ୨ଶହ ଲୋକଙ୍କ ବଦଳରେ ୫୦ଜଣଙ୍କୁ ବିବାହ ଉତ୍ସବରେ ସାମିଲ ହେବା ପାଇଁ ନୂଆ ନିୟମ ଲାଗୁ କରିବାକୁ ଉପରାଜ୍ୟପାଳଙ୍କ ଅନୁମତି ଲୋଡିଛନ୍ତି ଦିଲ୍ଲୀ ସରକାର ।

ନଭେମ୍ବର ମାସ ଶେଷ ହୋଇନାହିଁ, କିନ୍ତୁ ଅଧା ମାସରେ କରୋନା ରେକର୍ଡ ଚିନ୍ତାଜନକ ରହିଛି । ଗତ ୧୬ ଦିନରେ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୧୨୦୨ରେ ପହଂଚିଛି । ରାଜଧାନୀ ଦିଲ୍ଲୀରେ ମୋଟ ୪ଲକ୍ଷ ୮୯ହଜାର କରୋନା ସଂକ୍ରମିତ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୭ହଜାର ୭୧୩କୁ ବୃଦ୍ଧି ପାଇଛି । ଗତ ୨୪ଘଂଟାରେ ୩ହଜାର ୭୯୭ନୂଆ ସଂକ୍ରମିତ ହୋଇଥିବା ବେଳେ ୯୯ଜଣଙ୍କର ମୃତ୍ୟୁ ହୋଇଛି ।