ହଠାତ୍ ବଢିଲା ଆଳୁ ଦର । ମାତ୍ର ୨ଘଣ୍ଟାରେ ୧୫ଟଙ୍କାରୁ ଡେଇଁଲା ୨୨ଟଙ୍କା

580

ଆଜିଠୁ ଲକଡାଉନ୍… ଆଗକୁ ମାଡିଆସୁଛି ବାତ୍ୟା । ତେଣୁ ଏବେଠାରୁ ଘରେ ଖାଇବା ଜିନିଷ ସାଇତି ନ ରଖିଲେ ସମସ୍ୟା। ଏହାକୁ ଏକ ମଉକା ବୋଲି ଅପେକ୍ଷାରେ ଥିବା କିଛି ଅସାଧୁ ବେପାରୀ ହଠାତ୍ ବଜାରରେ ଆଳୁ ଅଭାବ ଗୁଜବ ସୃଷ୍ଟି କରିଦେଲେ । ଲୋକେ ମଧ୍ୟ ସେଥିରେ ଭାସିଲେ । ଏହି କାରଣରୁ ରାଜଧାନୀରେ ଆଳୁ ଦର ହଠାତ୍ ୨୨ ଟଙ୍କା‌ରେ ପହଞ୍ଚି ଯାଇଥିଲା । ମାତ୍ର ୨ଘଣ୍ଟା ଭିତରେ ୧୫ଟଙ୍କାରେ ଥିବା ଖୁଚୁରା ଦର ୭ ଟଙ୍କା ପର୍ଯ୍ୟନ୍ତ ବଢ଼ି ୨୨ ଟଙ୍କାରେ ପହଞ୍ଚିଗଲା । ମାତ୍ର ବାସ୍ତବ ଚିତ୍ର ଥିଲା ସ୍ବାଭାବିକ । ପଶ୍ଚିମବଙ୍ଗରୁ ଯେମିତି ଆଳୁ ଟକ୍‌ ଆସିବା କଥା, ସେମିତି ଆସିଥିଲା । ଆମଦାନିରେ କୌଣସି ବ୍ୟତିକ୍ରମ ନଥିଲା ।

ଗତ ସପ୍ତାହରେ ପାଇକାରୀ ବଜାରରେ ଆଳୁ ଦର ଥିଲା ୯ ଟଙ୍କା । ଖୁଚୁରା ବଜାରରେ କିଲୋ ୧୨/୧୩ ଟଙ୍କାରେ ବିକ୍ରି ହେଉଥିଲା । ସମ୍ଭାବ୍ୟ ଲକ୍‌ଡାଉନ୍‌କୁ ନଜରରେ ରଖି ଗତ ଦୁଇ ଦିନ ହେଲା ଖୁଚୁରା ବଜାରରେ ଆଳୁ ଦର ବଢ଼ି ବଢ଼ି ୧୫ ଟଙ୍କାରେ ପହଞ୍ଚିଥିଲା । ତେବେ ଗତକାଲି ସକାଳ ୯ଟା ସୁଦ୍ଧା ସବୁ କିଛି ଠିକ୍‌ଠାକ ଥିଲା । ହଠାତ୍ ୯ଟା ପରେ ଆଳୁର ଖୁଚୁରା ବଜାର ତାତି ହୁ’ ହୁ’ ହୋଇ ବଢ଼ିଲା । ୧୫ ଟଙ୍କାରେ ବିକ୍ରି ହେଉଥିବା ଆଳୁ ସକାଳ ୧୦ଟା ସୁଦ୍ଧା ୨୦ ଟଙ୍କାରେ ପହଞ୍ଚିଗଲା। ୧୧ଟା ବେଳକୁ ୨୨ଟଙ୍କା ହୋଇଗଲା। ପାଇକାରୀ ବଜାରରେ ବି ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ୫୦ କିଲୋ ବିଶିଷ୍ଟ ଆଳୁ ପ୍ୟାକେଟ୍‌ର ଦାମ୍‌ ଥିଲା ୬ ଶହ ଟଙ୍କ‌ା। ହଠାତ୍ ଦେଢ଼ ଶହ ଟଙ୍କା ବଢ଼ିଗଲା । ତେଣୁ ପାଇକାରୀ ବଜାରରେ ଆଳୁ କିଲୋ ୧୫ଟଙ୍କା ପଡ଼ିବା ଦେଖି ଖୁଚୁରା ବଜାରରେ କିଲୋ ୨୨ ଟଙ୍କାକୁ ଛୁଇଁଗଲା । ମାତ୍ର ଆଳୁ ଅଭାବ ପଛରେ କିଛି ବି ସତ୍ୟତା ନଥିଲା । ପଶ୍ଚିମବଙ୍ଗରୁ ଯେମିତି ସ୍ବାଭାବିକ ଆମଦାନି ହେବା କଥା, ସେମିତି ହିଁ ଥିଲା ।

ଏନେଇ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ତଥା ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା, ଲୋକଙ୍କ ବିଚିତ୍ର ମାନସିକତା ହିଁ ଆଜିର ପରିସ୍ଥିତି ପାଇଁ ଦାୟୀ। ସକାଳୁ କୁବେରପୁରୀରେ ଖୁଚୁରା ବେପାରୀଙ୍କ ଭିଡ଼ ନଥିଲା । ସବୁଦିନ ବଜାରରୁ କିଣୁଥିବା ଲୋକେ ଆଜି ଗାଡ଼ି ଧରି ପ୍ୟାକେଟ୍‌ ପ୍ୟାକେଟ୍‌ ଆଳୁ ବୋହିଲେ। ଏମିତିକି ଖୁଚୁରା ବେପାରୀଙ୍କୁ ବାଟ ଛାଡ଼ିଲେନି। ଏମିତିକି ଦର କେତେ ଅଛି ବା କେତେ ଥିଲା, କିଛି ବୁଝିବାକୁ ନାରାଜ। ତେଣୁ ସ୍ବତଃ ଦର ବଢ଼ିଲା। ତେବେ କୁବେରପୁରୀର ସବୁ ‌ଗୋଦାମରେ ଏମିତି ପରିସ୍ଥିତି ହୋଇନଥିଲା। ଅନେକ ପାଇକାରୀ ବେପାରୀ ୭ଶହ ଟଙ୍କାରେ ଆଳୁ ପ୍ୟାକେଟ୍‌ ବିକିଥିବା ଜଣାପଡ଼ିଛି। ଅର୍ଥାତ୍ ପାଇକାରୀ ଦର ୧୪ଟଙ୍କା ଥିଲା। କିନ୍ତୁ ଖୁଚୁରା ବଜାର ତାତି ୨୨ଟଙ୍କାରେ ହିଁ ରହିଥିଲା। ଆଳୁ ଅଭାବ ଗୁଜବ ଖୁଚୁରା ବଜାରରୁ ହିଁ ସୃଷ୍ଟି ହୋଇଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି। କାରଣ ଖୁଚୁରା ବେପାରୀମାନଙ୍କର ଏହା ଦ୍ବାରା ଅଧିକ ମୁନାଫା। ସେମାନେ କିଲୋ ପିଛା ୭ ଟଙ୍କା ଲାଭରେ ବିକିଲେ। କିନ୍ତୁ ଆସନ୍ତାକାଲିକୁ ଏ ସ୍ଥିତି ନଥିବ ବୋଲି ସେ କହିଛନ୍ତି। ଆବଶ୍ୟକତାଠାରୁ ଅଧିକ କିଣି ଘରେ ସାଇତିଥିବା ଲୋକେ ଆଉ ଆଳୁ କିଣିବେ ନାହିଁ। ତେଣୁ ସେତକ ନ ସରିବା ପର୍ଯ୍ୟନ୍ତ ଖୁଚୁରା ବଜାରରେ ଆଳୁ ବେପାର ମାନ୍ଦା ରହିବ। ଆମଦାନି ଅଭାବ ନଥିବାରୁ ଦର ବୃଦ୍ଧିର କାରଣ ହିଁ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେବେ ଖୁଚୁରା ବେପାରୀଙ୍କ ନିକଟରେ ମହଜୁଦ ଥିବା ମାଲ୍‌କୁ ସେମାନେ ଚଢ଼ା ଦରରେ ବିକି ପାରନ୍ତି। ଏଥିପ୍ରତି ଯୋଗାଣ ବିଭାଗ ଦୃଷ୍ଟି ନଦେଲେ, ଖ‌ାଉଟି ଅଯଥାରେ ଶୋଷିତ ହେବେ।

ସୂଚନ‌ାଯୋଗ୍ୟ, ଗତକାଲିଠାରୁ ତେଜରାତି ବଜାରରେ ମଧ୍ୟ ଏଭଳି ବିଚିତ୍ର ଅବସ୍ଥା ଦେଖିବାକୁ ମିଳିଛି। ଲୋକେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ କିଣି ନେଉଛନ୍ତି। ଡାଲି, ତେଲ, ଅଟା, ଚୁଡ଼ା, ଚିନି ବୋହି ଘରେ ସାଇତିବାରେ ଲାଗିଛନ୍ତି। ତେଣୁ ଉକ୍ତ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇଛି। ପ୍ରାୟ ଏସବୁ ସାମଗ୍ରୀରେ କିଲୋ ବା ଲିଟର ପିଛା ୩ଟଙ୍କା ପର୍ଯ୍ୟନ୍ତ ଦରବୃଦ୍ଧି ହୋଇଥିଲେ ବି ସେଥିପ୍ରତି କାହାର ନଜର ହିଁ ନାହିଁ।