କନକ ବ୍ୟୁରୋ: ଦେଶରେ ତାଲାବନ୍ଦକୁ ଆସନ୍ତା ୩୦ ତାରିଖ ଯାଏଁ ବୃଦ୍ଧି କରିବାକୁ ଦାବି କଲେ କେଜରିୱାଲ । ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ସମୟରେ ଏପରି ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜରିୱାଲ କହିଛନ୍ତି ଦେଶରେ ତାଲାବନ୍ଦ ଅବଧି ବୃଦ୍ଧି ନିଷ୍ପତି ରାଷ୍ଟ୍ରୀୟ ସ୍ତରରେ ହେବା ଆବଶ୍ୟକ । ନଚେତ୍ ଏହା ରାଜ୍ୟ ସ୍ତରରେ ହେଲେ ପ୍ରଭାବ ସେଭଳି ରହିବ ନାହିଁ । ଏହି ବୈଠକରେ ଦିଲ୍ଲୀ ସରକାରଙ୍କ ସହ ପଂଜାବ ଓ ମହାରାଷ୍ଟ୍ର ସରକାର ମଧ୍ୟ ତାଲାବନ୍ଦ ଅବଧି ବୃଦ୍ଧି ପାଇଁ ଦାବି କରିଛନ୍ତି । ପୂର୍ବରୁ ଓଡିଶା ସରକାର ତାଲାବନ୍ଦ ଅବଧିକୁ ଅପ୍ରେଲ ୩୦ ଯାଏଁ ବୃଦ୍ଧି କରିସାରିଛନ୍ତି । କରୋନାକୁ ନେଇ ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ତାଲାବନ୍ଦ ଅବଧି ଅପ୍ରେଲ ୧୪ ତାରିଖରେ ଶେଷ ହେବ ।
ତେବେ ଏହା ପରେ ଏହି ତାଲାବନ୍ଦ ପ୍ରତ୍ୟାହାର ହେବ କି ନାହିଁ ସେ ନେଇ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ନିଷ୍ପତି ନେବେ କେନ୍ଦ୍ର ସରକାର । ଏନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପରାମର୍ଶ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କରୋନା ମୁକାବିଲାରେ ସେ ସମସ୍ତ ରାଜ୍ୟ ସହିତ ଅଛନ୍ତି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କାନ୍ଧକୁ କାନ୍ଧ ମିଳାଇ ଚାଲିବେ । ସ୍ଥିର ହୋଇଥିବା ରଣନୀତିକୁ ପାଳନ କରି ସମସ୍ତ ରାଜ୍ୟ ଚାଲିବେ । ଏପରି ହେଲେ ଦେଶବାସୀଙ୍କୁ ଆମେ କରୋନା ସଂକ୍ରମଣ ତଥା ଏହାକୁ ନେଇ ହେବାକୁ ଥିବା କ୍ଷତିରୁ ବି ବଂଚାଇ ପାରିବା ବୋଲି ଭିଡିଓ କନଫରେନ୍ସିଂରେ ମୋଦି କହିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଘରେ ତିଆରି ହୋଇଥିବା ମାସ୍କ ପିନ୍ଧି ବସିଥିବା ଦେଖିବାକୁ ମିଳିଥିଲା ।