ରଜ ପରେ ଖୋଲିବ କି ଓଡ଼ିଶା? ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ବଳବତ୍ତର ରହିପାରେ ନାଇଟ କର୍ଫ୍ୟୁ । ସପ୍ତାହାନ୍ତ ସଟଡାଉନ ବି ରହିପାରେ ବଳବତ୍ତର ।

1,121

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କର ଲକଡାଉନ ୩.୦ ଆସନ୍ତା ୧୭ରେ ସରୁଛି । ନୂଆ ଗାଇଡଲାଇନ ନେଇ କୈାଣସି ବି ମୁହୁର୍ତ୍ତରେ ସରକାର ଘୋଷଣା କରିପାରନ୍ତି । ହେଲେ ଏହା ଆଗରୁ ପଜିଟିଭ୍ ହାର ଏବଂ ସକ୍ରିୟ କେସ୍ ସଂଖ୍ୟାର ବିଶ୍ଳେଷଣ ହିଁ ଦର୍ଶାଇବ, କେଉଁ ଜିଲ୍ଲା ପାଇଁ କଣ ନିୟମ ଲାଗୁ କରିପାରନ୍ତି ସରକାର । ପୂର୍ବରୁ ସୁନ୍ଦରଗଡ, ଗଜପତି ଓ ନୂଆପଡାରେ ସଂଖ୍ୟାରେ ସୁଧାର ଆସିବା ପରେ ତାଲାବନ୍ଦ ନିୟମ କିଛିଟା କୋହଳ କରାଯାଇଥିଲା । କଟକଣା ଭିତରେ ଦୋକାନ, ବଜାର ଖୋଲିବା ପାଇଁ ଅନୁମତି ମିଳିଥିଲା । ଏହାକୁ କେସ ମାପଦଣ୍ଡ ହିସାବରେ ଚିନ୍ତା କରି ଆଗାମୀ ପଦକ୍ଷେପର ରୂପରେଖ ତିଆରି ଚାଲିଛି ।

କରୋନା ସଂଖ୍ୟାର ବିଶ୍ଳେଷଣ କହୁଛି ୧୭ ତାରିଖ ବେଳକୁ ରାଜ୍ୟର ୨୭ ଜିଲ୍ଲାରେ କରୋନା ସକ୍ରିୟ କେସ୍ ସଂଖ୍ୟା ୨୫୦୦ ତଳକୁ ଖସି ଆସିଥିବ । ଖୋର୍ଦ୍ଧା, କଟକ, ଯାଜପୁରକୁ ଛାଡିଲେ ଅନ୍ୟ ସମସ୍ତ ଜିଲ୍ଲା ଗ୍ରୀନ କିମ୍ବା ୟେଲୋ ଜୋନରେ ଥିବେ । ସେହିଭଳି ୧୫ ଜିଲ୍ଲାରେ ପଜିଟିଭ ହାର ଆଜି ୫ ପ୍ରତିଶତରୁ କମ୍ ରହୁଥିବାରୁ, ଏସବୁ ଜିଲ୍ଲା ଗୁଡିକରେ କଟକଣା ବ୍ୟାପକ ଭାବେ କୋହଳ କରାଯାଇପାରେ । ସୂଚନା ଅନୁସାରେ

– ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁ ବଳବତ୍ତର ରହିପାରେ

– ସପ୍ତାହାନ୍ତ ସଟଡାଉନ ସମସ୍ତ ଜିଲ୍ଲାରେ ବଳବତ୍ତର ରହିପାରେ

– ଦୋକାନ ବଜାର ସନ୍ଧ୍ୟା ୫ ପର୍ଯ୍ୟନ୍ତ ଅବା ରାତି ୮ଟା ଯାଏଁ ଖୋଲା ରହିବ, ସେନେଇ ବିଚାର ଚାଲିଛି

– ହଲ୍, ମଲ୍, ହୋଟେଲ୍ ଉପରେ ମାସ ଶେଷ ଯାଏଁ କଟକଣା ରହିପାରେ

– ସେଲୁନ୍, ସ୍ପା ବନ୍ଦ ରହିବା ସମ୍ଭାବନା ଯଥେଷ୍ଟ ଅଧିକ

– ବାହାଘର ଓ ଅନ୍ତିମ ସଂସ୍କାର କଟକଣା ପୁର୍ବଭଳି ରହିପାରେ

– ସମାବେଶ ତଥା ଲୋକଙ୍କ ସମାଗମ ଉପରେ କଟକଣା ରହିବା ସମ୍ଭାବନା ଅଧିକ

ଜୁନ୍ ୧୮ ପରଠାରୁ ଜୁନ୍ ଶେଷ ଯାଏଁ ସରକାର ଆଣିବାକୁ ଯାଉଥିବା କରୋନା ଗାଇଡଲାଇନର ରୂପରେଖ କିଛି ଏଭଳି ରହିବା ଅନୁମାନ କରାଯାଉଛି । ଯଦିଓ ଔପଚାରିକ ଭାବେ ଘୋଷଣା ହୋଇନାହିଁ, ତେବେ କମୁଥିବା କରୋନା ସଂଖ୍ୟା କିଛି ଏଭଳି ଦିଗକୁ ହିଁ ଦର୍ଶାଉଛି । ୧୯ ଏପ୍ରିଲ ପରେ ରାଜ୍ୟ ସବୁଠାରୁ କମ୍ ସଂକ୍ରମଣ ସଂଖ୍ୟା ଗତ ୨୪ ଘଂଟାରେ ଦେଖିଛି । ହେଲେ ଏବେ ବି ଖୋର୍ଦ୍ଧା ପଜିଟିଭ୍ ହାରରେ ସବୁଠାରୁ ଅଧିକ । ସେହିଭଳି ଯାଜପୁର, ପୁରୀ, ନୟାଗଡ ଏବଂ କଟକରେ ପଜିଟିଭ ହାର ୧୦ ପ୍ରତିଶତ ଉପରେ । ତେଣୁ ଏସବୁ ଜିଲ୍ଲା ପାଇଁ କଟକଣା କିଛି ଅଧିକ ରହିପାରେ ବୋଲି ଅନୁମାନ କରାଯାଉଛି ।