ଭୂତାଣୁ ଭୟ ଭିତରେ ବଦଳିଯାଇଛି ଭୋକର ସଂଜ୍ଞା । କିଏ ପଟେ ପାଇଁ ବୃତି ସହ ସାଲିସ କରୁଛି ତ କିଏ ତାଲାବନ୍ଦ ଭିତରୁ ଖୋଜୁଛି ଜୀବନ ଜୀବିକା । ମହାମାରୀ ଭିତରେ ମାଲକାନଗିରିରୁ ଆସିଲା ଭୋକିଲା ପେଟର କାହାଣୀ..

229

କନକ ବ୍ୟୁରୋ: କରୋନା କଟକଣା ଭିତରେ ବଦଳିଯାଇଛି ଭୋକର ସଂଜ୍ଞା । କିଏ ପଟେ ପାଇଁ ନିଜ ବୃତି ସହ ସାଲିସ କରିବାକୁ ବାଧ୍ୟ ହେଉଛି, ତ ଆଉ କିଏ ତାଲା ବନ୍ଦ ଭିତରେ ଜୀବନ ଜୀବିକା ଲାଗି ଅହରହ ସଂଗ୍ରାମ କରୁଛି । ତଥାପି ଆମ ଆଖ ପାଖରେ ଏମିତି ଅନେକ ଅସହାୟ ରହିଛନ୍ତି, ଯିଏ ସକାଳ ହେବା ମାତ୍ରେ ଖାଇବା ଗଣ୍ଡାଏ ପାଇଁ ସଂଗ୍ରାମ କରୁଛନ୍ତି ସତ । ହେଲେ ସନ୍ଧ୍ୟା ହବା ଯାଏଁ ପେଟ ର ଯନ୍ତ୍ରଣା ମେନ୍ଟାଇବା କଷ୍ଟକର ହୋଇ ପଡୁଛି । ମାଲକାନଗିରି ଜିଲ୍ଲାରେ ଏମିତି ଜଣେ ଅସହାୟ ବୃଦ୍ଧ ରହିଛନ୍ତି ଯିଏ ରାଜରାସ୍ତାରେ ଭିକ ମାଗୁଛନ୍ତି, ତଥାପି ପେଟକୁ ଦାନା ଗଣ୍ଡାଏ ମିଳୁନି ।

ବଦଳୁଛି ଭୋକର ଭୁଗୋଳ । ଦାନା ଗଣ୍ଡାଏ ଲାଗି ବାବୁ ବାବୁ ଡାକ ଛାଡୁଛନ୍ତି ଦିବ୍ୟାଙ୍ଗ ବୃଦ୍ଧ । ହେଲେ କାଣି କଉଡି ଟିଏ ମିଳୁନି । ସଂକ୍ରମଣ ଭୟରେ ହେଉଥିବା ଲକଡାଉନ୍ କେମିତି ଅସହାୟଙ୍କୁ ଭୋକିଲା ରଖୁଛି, ତାହା ହୁଏତ ଏହି ଦିବ୍ୟାଙ୍ଗ ବୃଦ୍ଧଙ୍କୁ ଦେଖିବା ପରେ ଆପଣମାନେ ଅନୁମାନ କରି ପାରୁଥିବେ । ମାଲକାନଗିରି ପୌରାଂଚଳ ନୂଆଗଡ ବସ୍ତିରେ ରୁହନ୍ତି ୮୦ ବର୍ଷିୟ ସୁରେନ୍ଦ୍ର ଖିଲ । ସ୍ତ୍ରୀ-ପୁଅଙ୍କ ମୃତ୍ୟୁ ପରେ ଦୃଷ୍ଟିଶକ୍ତି ବି ହରାଇଛନ୍ତି ସୁରେନ୍ଦ୍ର । ଆଉ ଏବେ ବାର୍ଦ୍ଧକ୍ୟରେ ଭିକ୍ଷା ବୃତି କରି ପେଟ ପୋଷନ୍ତି ସୁରେନ୍ଦ୍ର । ହେଲେ ସରକାରଙ୍କ ଲକଡାଉନ-ସଟଡାଉନ ଯୋଗୁଁ, ଭୂତାଣୁକୁ ଛାଡି ଭୋକ ସହ ଲଢେଇ କରୁଛନ୍ତି ଏହି ଅସହାୟ ବୃଦ୍ଧ ।

ଲକଡାଉନ୍ ଓ ସଟଡାଉନ ସମୟରେ ଏପରି ଅସହାୟଙ୍କୁ ଚିହ୍ନଟ କରି ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବା ଲାଗି ଉଭୟ ପୌରାଂଚଳ ଓ ଗ୍ରାମାଂଚଳକୁ ସ୍ୱାତନ୍ତ୍ର ଅନୁଦାନ ପ୍ରଦାନ କରାଯାଉଛି । ସୁରେନ୍ଦ୍ରଙ୍କୁ ମଧ୍ୟ ଓଲ୍ଡ ଏଜ୍ ହୋମରେ ରଖାଯାଇଥିବା କଥା କୁହାଯାଉଛି । ହେଲେ ସେଠାରେ ନିୟମିତ ଖାଇବା ପିଇବା ମୁଳୁନଥିବା ଅଭିଯୋଗ ହୋଇଛି । ସେହିପରି ବାର୍ଦ୍ଧକ୍ୟ ଭତା କି କୌଣସି ସରକାରୀ ଯୋଜନାର ସୁବିଧା ପାଉନଥିବା କହିଛନ୍ତି ସୁରେନ୍ଦ୍ର ।