କନକ ବ୍ୟୁରୋ : ଚୀନରେ ପୁଣି କରୋନାର ଆତଙ୍କ । କରୋନାର ନୂଆ ପ୍ରଜାତି ଓମିକ୍ରନ ଭ୍ୟାରିଆଣ୍ଟର କେତେକ ମାମଲା ସାମ୍ନାକୁ ଆସିବା ପରେ ଚୀନର ଝେଜିୟାଙ୍ଗ ଅଞ୍ଚଳରେ ପୁଣି ଥରେ ଲାଗୁ ହୋଇଛି ଲକଡାଉନ୍ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୬ ତାରିଖରୁ ୧୨ ତାରିଖ ମଧ୍ୟରେ ଏହି ଝେଜିୟାଙ୍ଗ ଅଞ୍ଚଳରେ କରୋନାର ୧୭୩ ମାମଲା ସାମ୍ନାକୁ ଆସିଛି । ଆଉ କରୋନା ସଂକ୍ରମଣ ବଢୁଥିବାରୁ ଏହି ଅଞ୍ଚଳରେ ଲକଡାଉନ୍ ଲାଗୁ କରିଛନ୍ତି ସ୍ଥାନୀୟ ପ୍ରଶାସନ ।
ତେବେ ଚୀନର ଉହାନରେ ୨୦୧୯ ଡିସେମ୍ବର ମାସରେ କରୋନା ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଆଉ ଦେଖୁ ଦେଖୁ ଏହି ଭାଇରସ ପ୍ରଥମେ ପୂରା ଚୀନରେ ଏବଂ ପରେ ପରେ ପୂରା ବିଶ୍ୱକୁ ବ୍ୟାପିଯାଇଥିଲା । କରୋନା ଭାଇରସକୁ ନେଇ ସବୁଠୁ ପ୍ରଥମେ ଚୀନରେ ହିଁ ଲାଗୁ ହୋଇଥିଲା ଲକଡାଉନ୍ । ଏବେ କରୋନାର ନୂଆ ପ୍ରଜାତି ଓମିକ୍ରନ ସାମ୍ନାକୁ ଆସିବା ପରେ ପୁଣି କେତେକ ଦେଶରେ କଟକଣା ଜାରି କରାଗଲାଣି ।