ଓଡିଶାର ୫ଜିଲ୍ଲା ଓ ୮ସହରରେ ଆଜି ସକାଳ ୭ଟାରୁ ତାଲାବନ୍ଦ: ଜରୁରୀକାମ ନଥିଲେ ମାର୍ଚ୍ଚ ୨୯ ଯାଏଁ ଘରୁ ବାହାରିବା ମନା; ନିୟମ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

955

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ୫ ଟି ଜିଲ୍ଲା ଓ ୮ ଟି ସହରକୁ ଲକ୍ ଡାଉନ୍ ବା ତାଲା ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ଅତି ଆବଶ୍ୟକ ନହେଲେ ଲୋକେ ଘରୁ ବାହାରକୁ ଆସିବେ ନାହିଁ । ଦୋକାନ, ବଜାର ଆଦି ସଂପୂର୍ଣ୍ଣ ବନ୍ଦ ରହିବ । ରାସ୍ତାରେ ବି ଗଡ଼ିବନାହିଁ ଟାକ୍ସି ଓ ଅଟୋ ରିକ୍ସା । ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଗଂଜାମ, ଅନୁଗୁଳ ଜିଲ୍ଲାର ସବୁ ଗାଁ ଓ ସହର ତାଲା ବନ୍ଦ ରହିବ ।

ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍ ଓ ଯାଜପୁର ଟାଉନକୁ ବି ତାଲାବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ କରି ଦେଇଛନ୍ତି ସରକାର । ଏପରିକି ସାଧାରଣ ପରିବହନରେ ବି କଟକଣା ଲଗାଯାଇଛି । ଟାକ୍ସି ଓ ଅଟୋ ରିକ୍ସା ଚଳାଚଳ ଉପରେ ରୋକ୍ ଲାଗିଥିବା ବେଳେ ସହର ସହର ମଧ୍ୟରେ ବସ୍ ଚଳାଚଳ କରିବ କି ନାହିଁ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ । ତେବେ ରେଳ, ବିମାନ ସେବା ଜାରି ରହିବ । ପ୍ରଶାସନିକ କାର୍ଯ୍ୟାଳୟ, ଜିଲ୍ଲାପାଳ ଅଫିସ୍, ବ୍ଳକ ଅଫିସ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ, ଏଟିଏମ୍ ଆଦି ଖୋଲା ରହିବ । ଯେଉଁ ବେସରକାରୀ ସଂସ୍ଥା କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବେ, ତାହା ମଧ୍ୟ ଖୋଲା ରହିବ । ୫ଟି ଜିଲ୍ଲା ଓ ୮ଟି ସହରରେ ପେନ୍ସନ୍ ବିତରଣ ଓ ପିଡିଏସ୍ ବନ୍ଦ ରହିବ ।

ସେପଟେ ଖବରକାଗଜ ଓ ଟେଲିଭିଜନ ସେବା ଜାରି ରହିବ । ମୋବାଇଲ, ଇଂଟରନେଟ୍, ଡାକ ସେବା ମଧ୍ୟ ଜାରି ରହିବ । ଅତ୍ୟାବଶ୍ୟକ ସାମଗ୍ରୀର ଅନଲାଇନ୍ ସେବା ଚାଲୁ ରହିବା ସହ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ । ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଆଦି ଦୋକାନ ଖୋଲା ରହିବ ଓ ଏହାର ପରିବହନ କାର୍ଯ୍ୟ ମଧ୍ୟ ଜାରି ରହିବ । ମେଡିସନ୍ ଓ ଚିକିତ୍ସା ଉପକରଣ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସୀ ଓ ଏହାର ଗୋଦାମ ଖୋଲା ରହିବ, ପରିବହନ ମଧ୍ୟ ଜାରି ରହିବ । ଅତ୍ୟାବଶ୍ୟକ ସମାଗ୍ରୀ ଉତ୍ପାଦନ କରୁଥିବା କଂପାନୀ ଖୋଲା ରହିବ । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଏହି ନିୟମକୁ କାର୍ଯ୍ୟକାରୀ କରିବେ । ନିୟମକୁ ଉଲଂଘନ କରି ଯେଉଁମାନେ ଜନଜୀବନ ପ୍ରତି ବିପଦ ଆଣିବେ, ସେମାନଙ୍କ ବିରୋଧରେ ଆଇପିସିର ୧୮୮ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ସରକାର । କରୋନା ସଂକ୍ରମଣ ରୋକିବା ପାଇଁ କଡ଼ା ପଦକ୍ଷେପ ନେବା ସହ ଲୋକଙ୍କୁ ଘରେ ରହିବାକୁ କହିଛନ୍ତି ସରକାର । ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ବାହାରକୁ ଆସିଲେ ସାମାଜିକ ଦୂରତା ବଜାୟ ରଖିବାକୁ ଅପିଲ କରିଛନ୍ତି ସରକାର ।

ତେବେ ମୁଖ୍ୟମନ୍ତ୍ରୀଙ୍କ ତାଲାବନ୍ଦ ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଆସନ୍ତୁ ଆମେ ସମସ୍ତେ ସହଯୋଗ କରିବା ଓ କରୋନା ସଂକ୍ରମଣର ସଫଳ ମୁକାବିଲା କରିବା । ଏପଟେ ରାଜ୍ୟ ସରକାରଙ୍କ ତାଲାବନ୍ଦ ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଥିବାରୁ ଟ୍ୱିଟ୍ କରି ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।