ପୁଲିସର ବିନା ଅନୁମତିରେ ସହରରେ ଗଡିବନି ଗାଡି: ପାସ୍ ନଥିବା ଲୋକଙ୍କୁ ତେଲ ନଦେବାକୁ ସହରର ସବୁ ପେଟ୍ରୋଲ ପମ୍ପକୁ କଡା ନିର୍ଦ୍ଦେଶ

2,836

କନକ ବ୍ୟୁରୋ: ପୁଲିସର ବିନା ଅନୁମତିରେ ସହରରେ ଗଡିବନି ଦୁଇ ଚକିଆ ଗାଡି । ବାଇକ ଚଳାଚଳ ଉପରେ ଆଜି ଠାରୁ କଡା କଟକଣା ଲାଗୁ ହୋଇଛି । ଆଜି ଅମାନିଆ ଚାଳକଙ୍କ ଶହେଟି ବାଇକକୁ ଉଠାଇ ନେଇଛି ପୁଲିସ । ଅନ୍ୟପଟେ ପୁଲିସର ପାସ ନଥିବା ଲୋକଙ୍କୁ ପେଟ୍ରୋଲ ନଦେବା ପାଇଁ ସହରର ସବୁ ପେଟ୍ରୋଲ ପମ୍ପକୁ କଡା ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦୋକାନୀ ସାମାଜିକ ଦୂରତା ନମାନିଲେ ଦୋକାନକୁ ସିଲ କରାଯିବ ବୋଲି ଘୋଷଣା କରିଛି ପ୍ରଶାସନ । ଆଜିଠାରୁ କୋରାପୁଟ ଜିଲ୍ଲାରେ ପ୍ରଶାସନ ନିୟମକୁ କଡାକଡି କରିଛି ।

ସେପଟେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପୋଲିସର ଲକଡାଉନ କଟକଣା କଡାକଡି । ବିଭିନ୍ନ ଛକ ସ୍ଥାନରେ ଚେକ ପୋଷ୍ଟ କରି ଚେକିଂକୁ କଡ଼ାକଡ଼ି କରିଛି ପୋଲିସ । ବଜାର ଭିତରକୁ ବାଇକ୍ରେ ଯାଉଥିବା ଲୋକଙ୍କୁ ବାରଣ କରାଯାଇଛି । ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କ ଗାଡି ଚକାରୁ ପମ୍ପ ଖୋଲି ଦେଇଛନ୍ତି ପୋଲିସ୍ । ଏପରିକି କିଛି ଅମାନିଆ ବ୍ୟକ୍ତିଙ୍କୁ ମାଡ଼ ମାରିଛି ପୋଲିସ । ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବା ସହ ନପିନ୍ଧିବା ଲୋକଙ୍କୁ ତାଗିଦ କରାଯାଇଛି ।

ସେହିପରି ଭଦ୍ରକ ସହରରେ ମଧ୍ୟ ଲକ୍ ଡ଼ାଉନ କଟକଣାକୁ କଡ଼ାକଡ଼ି କରିଛି ସ୍ଥାନୀୟ ପ୍ରଶାସନ । ସକାଳୁ ସକାଳୁ ଅମାନିଆ ଚାଳକଙ୍କୁ ସାବାଡ଼ କରିଛି ପୋଲିସ । ଶହେରୁ ଅଧିକ ବାଇକ୍, ୧୦ଟି ଚାରି ଚକିଆ ଯାନ ଜବତ କରିଛି ପୋଲିସ । ଜବତ ବାଇକ ଚାଳକଙ୍କ ନିକଟରୁ ୨ ହଜାର ଟଙ୍କା, ଚାରି ଚକିଆ ଯାନ ଚାଳକଙ୍କ ନିକଟରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ପୋଲିସ ପକ୍ଷରୁ କୁହାଯାଇଛି । ଗତକାଲି ନିୟମ ଉଲଘଂନକାରୀଙ୍କ ନିକଟରୁ ମୋଟା ଅଙ୍କର ଜୋରିମାନା ଆଦାୟ ହେବ ବୋଲି ପୋଲିସ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଥିଲା । ତଥାପି ଆଜି ସକାଳୁ ସକାଳୁ ଲୋକଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିଲା ।