ଦିଲ୍ଲୀ ପରେ ହରିଆଣାରେ ବଢିଲା ଲକଡାଉନ୍ ଅବଧି । ଲୋକଙ୍କ ଦାବିକୁ ବିଚାର କରି ଲକଡାଉନ ବଢାଇଥିବା କହିଲେ ମୁଖ୍ୟମନ୍ତ୍ରୀ

131

କନକ ବ୍ୟୁରୋ : ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ରାଜ୍ୟରେ ମେ ୨୪ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଲୋକମାନେ ଆହୁରି ଶକ୍ତ କଟକଣା ଲଗାଇବାକୁ ଦାବି କରିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । କହିରଖୁ କି ରାଜ୍ୟରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମେ ୩ ତାରିଖରେ ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ । ଏହାପରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଥିଲା । ସ୍ଥିତିର କିଛି ସୁଧାର ନଆସିବାରୁ ପୁଣି ଏହାକୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି ।

ଲକଡାଉନ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର କହିଛନ୍ତି କି ସେ ୨୦ ଦିନ ମଧ୍ୟରେ ପାନିପଥରେ ୨୮ କୋଟି ଟଙ୍କା ବିନିମୟରେ କୋଭିଡ ହସ୍ପିଟାଲ ନିର୍ମାଣ କରିଛନ୍ତି । ଏହାସହ ରାଜ୍ୟରେ ୧୪୦୦ ମେଡିକାଲ ବେଡ ସଂଖ୍ୟା ବୃଦ୍ଧି କରାଯିବା ସହ ୧୯ ହଜାର ଅକ୍ସିଜେନ ବେଡ ପ୍ରସ୍ତୁତ କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟ ରାଜ୍ୟ ତୁଳନାରେ ହରିଆଣାରେ ଲକଡାଉନ କଟକଣା କଡାକଡି କରାଯାଇଛି । ଏଠାରେ ବିବାହ ଓ ଅନ୍ତିମ ସଂସ୍କାର ପାଇଁ କେବଳ ୧୧ ଜଣ ଲୋକଙ୍କୁ ଅନୁମତି ମିଳୁଛି । ଏହାସହ କଟକଣା ଉଲଙ୍ଘନକାରୀଙ୍କୁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି ।