ଭୟ ବଢାଇଲାଣି କରୋନା ! ଚୀନକୁ ପୁଣି ଫେରିଲା ଲକଡାଉନ୍, ୪୦ ଲକ୍ଷ ଲୋକ ହେଲେ ଗୃହବନ୍ଦୀ ।

366

କନକ ବ୍ୟୁରୋ : କରୋନାର ଉତ୍ପତିସ୍ଥଳ ଚୀନକୁ ପୁଣି ବଢିଛି ସଂକ୍ରମଣ ଭୟ । ଅଧିକ ସଂକ୍ରମକ ଡେଲଟା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଗନସୁ ପ୍ରଦେଶର ରାଜଧାନୀ ଲାନଝୁ ସହରରେ ଲକଡାଉନ ଲଗାଇଛନ୍ତି ଚୀନ ସରକାର । ଗତ ସପ୍ତାହରେ ୩୯ଜଣ ଏହି ସହରରେ ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ସରକାର ଭୟ କରୁଛନ୍ତି ଏହି ଡେଲଟା ଭୂତାଣୁ ସହରକୁ ବ୍ୟାପିଯାଇପାରେ ।

ଚୀନରେ ଭୟ ବଢ଼ାଇଲା ଡେଲଟା ଭୂତାଣୁ । ପୁଣି ଆରମ୍ଭ ହେଲା ଲକଡାଉନ୍ । ଗନସୁ ପ୍ରଦେଶର ରାଜଧାନୀ ଲାନଝୁ ସହରରେ ଲକଡାଉନ ଲଗାଇଛନ୍ତି ବେଜିଂ ସରକାର । ସପ୍ତାହକ ମଧ୍ୟରେ ଅଧିକ ସଂକ୍ରମକ ଡେଲଟା ଭୂତାଣୁ ଦ୍ୱାରା ୩୯ ଜଣ ପଜିଟିଭ୍ ଚିହ୍ନଟ ପରେ କଟକଣା ଲଗାଯାଇଛି ।

ଅକ୍ଟୋବର ୧୭ ତାରିଖରୁ ଚୀନରେ କରୋନାର ଡେଲ୍ଟା ଭ୍ୟାରିଆଣ୍ଟରେ ପ୍ରାୟ ୨୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଡେଲଟା ଭୂତାଣୁ ଜନିତ ସଂକ୍ରମଣ ସଂଖ୍ୟା ବଢୁଥିବାରୁ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହାନ୍ତି ଚୀନ ସରକାର । ଜିରୋ କରୋନା ନୀତି ଆପଣାଇବା ସହ କଟକଣାକୁ କଡ଼ାକଡ଼ି କରିଛି ବେଜିଂ । ବିଶେଷ କରି ୪୦ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ଲାନଝୁ ସହରକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଉଛି ।

ଚୀନର ଲାନଝୁ ସହର ସମ୍ପୂର୍ଣ୍ଣ ଲକଡାଉନ୍ । ଚିକିତ୍ସା ଓ ଜରୁରୀ କାର୍ଯ୍ୟ ବ୍ୟତୀତ ଘରୁ ବାହାରିବା ମନା । ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ୍ । ଟ୍ରେନ୍, ବସ୍, ଟାକ୍ସି ସେବା ବାତିଲ । ବେଜିଂକୁ ବିମାନ ବନ୍ଦ । ଅନେକ ଦିନର ବ୍ୟବଧାନ ପରେ ଏପରି କଡ଼ା କଟକଣା ଲଗାଇଛି ବେଜିଂ ପ୍ରଶାସନ । ଉତ୍ତର ଚୀନର କିଛି ସହରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରସିଦ୍ଧ ଲାମା ମନ୍ଦିରକୁ ମଧ୍ୟ ବନ୍ଦ କରିଦିଆଯାଇଛି । ପର୍ଯ୍ୟଟକମାନଙ୍କ ଉପରେ ମଧ୍ୟ କଟକଣା ଲାଗାଯାଇଛି ।

ଭାରତରେ ଦିନକରେ ୧୨,୪୨୮ ନୂଆ ଆକ୍ରାନ୍ତ । ୨୩୮ ଦିନରେ ସବୁଠୁ କମ ସଂକ୍ରମଣ । ଦେଶରେ ସଂକ୍ରମଣ ଗ୍ରାଫ ତଳକୁ ଖସୁଥିଲେ ବି ପଶ୍ଚିମବଙ୍ଗ, ଆସାମ, ହିମାଚଳ ପ୍ରଦେଶ, ଆଦି ରାଜ୍ୟରେ ପୂଜା ପରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଗତ ସପ୍ତାହରେ ବୃଦ୍ଧିପାଇଛି । ଉତ୍ତର ପ୍ରଦେଶ ଓ କେରଳରେ ସଂକ୍ରମଣ ଅଧିକ ରହୁଛି । ଏପଟେ ଓଡ଼ିଶାରେ ପ୍ରତିଦିନ ୪୦୦ରୁ ୫୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ସଂକ୍ରମଣ ବଢ଼ିଲେ ପୁଣି କଟକଣା ଫେରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେପଟେ ରୁଷିଆ ଓ ବେଲଜିୟମରେ କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧିପାଇଛି ।