ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ । ଟ୍ୱିଟ୍ କରି ସୂଚନା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର

208

କନକ ବ୍ୟୁରୋ : ବିହାରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ବିହାରରେ ଜୁନ୍ ପହିଲା  ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ।

ବିହାରରେ କୋଭିଡ-୧୯ ବିରୋଧରେ ଜାରି ରହିଥିବା ଲଢେଇରେ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଏନେଇ କିଛି ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ବିହାର କ୍ରାଇସେସ୍ ମ୍ୟାନେଜମେଣ୍ଟ ଲକଡାଉନ ଜାରି ରଖିବାକୁ ନିତୀଶ କୁମାରଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିତୀଶ କୁମାର ନୀତିଗତ ସ୍ତରରେ କୋଭିଡ ମ୍ୟାନେଜମେଣ୍ଟ ସହିତ ଜଡିତ କିଛି ବିଭାଗ ସହ ଗ୍ରାମୀଣ ବିକାଶ ବିଭାଗ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

କହିରଖୁ କି ବିହାରର ଗ୍ରାମୀଣ ଇଲାକାରେ କରୋନା ସଂକ୍ରମଣ ସହ ବ୍ଲାକ ଫଙ୍ଗସ୍ ସଂକ୍ରମଣ ବି ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ଗତ ୨୪ ଘଂଟାରେ ପୂର୍ବଦିନ ତୁଳନାରେ ମୃତକଙ୍କ ସଂଖ୍ୟା ବଢିଛି । ବିହାର ସରକାର ଓ ନିଜେ ନିତୀଶ କୁମାର ଲୋକମାନଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି  । ଏହା ସହ ଚଳିତ ଲକଡାଉନରେ ପୂର୍ବ ଲକଡାଉନ ଭଳି କଟକଣା ଜାରି ରହିବ ବୋଲି କୁହାଯାଇଛି ।