ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ କିଣି ପାରିବେ ସଉଦା ।

503

କନକ ବ୍ୟୁରୋ : ଗୋଟିଏ ପଟେ ୫ ରାଜ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଥିଲା, ଆଉ ଗୋଟିଏ ପଟେ, କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଓଡିଶା ସରକାର ପଦକ୍ଷେପ ଘୋଷଣା କରିଥିଲେ । ସଂକ୍ରମଣ ବଢ଼ୁଥିବାରୁ ଚେନ ଭାଙ୍ଗିବା ପାଇଁ ପୁଣି ଥରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ ୫ ତାରିଖ ସକାଳୁ ମେ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହେବ ଲକଡାଉନ କଟକଣା । ତେବେ ଗତବର୍ଷ ଭଳି ପରିସ୍ଥିତି ଯେଭଳି ନ ଉପୁଜେ ସେଥିପାଇଁ ଲୋକଙ୍କୁ ଦୁଇଦିନ ସମୟ ଦିଆଯାଇଛି ।

ରାଜ୍ୟକୁ ଫେରିଲା ଲକଡାଉନ୍ । ୫ମେ’ ରୁ ୧୯ ମେ’ ତାଲାବନ୍ଦ । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଶଙ୍କା ଓ ଭୟ ଭିତରେ ପୁଣି ଥରେ ଫେରିଲା ଲକଡାଉନ୍ । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ମେ ୫ତାରିଖରୁ ପୁଣି ଥରେ ସାରା ରାଜ୍ୟରେ ଲାଗୁ ହେବ ଏହି କଡା କଟକଣା । ମେ ୧୯ ପର୍ଯ୍ୟନ୍ତ ଅର୍ଥାତ ୧୪ ଦିନ ବଳବତ୍ତର ରହିବ ଲକଡାଉନ କଟକଣା ।ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଗତବର୍ଷ ଅଚାନକ ଲକଡାଉନ ଲାଗୁ ହେବା ପରେ ଦେଶରେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ଯେମିତି ସେଭଳି ପରିସ୍ଥିତି ସୃଷ୍ଟି ନହୁଏ, ସେସବୁକୁ ଦୃଷ୍ଟିରେ ରଖି, ଲୋକଙ୍କୁ ଦୁଇ ଦିନ ସମୟ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସୋମବାର ଓ ମଙ୍ଗଳବାର ଲୋକଙ୍କୁ ଦୁଇ ଦିନ ସମୟ ଦିଆଯାଇଛି । ଏହି ସମୟରେ ଲୋକମାନେ ସେମାନଙ୍କର ଅତ୍ୟନ୍ତ ଜରୁରୀ କାର୍ଯ୍ୟକୁ ଶେଷ କରିବାକୁ କୁହାଯାଇଛି ।

ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଘରଠାରୁ ୫ଶହ ମିଟର ଭିତରେ ଚାଲି ଚାଲି ଯାଇ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବାକୁ ସର୍ତମୂଳକ ଅନୁମତି ଦିଆଯାଇଛି । ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । ସେହିପରି ଜୀବିକାକୁ ନଜରରେ ରଖି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପନିପରିବା ଓ ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ସର୍ତମୂଳକ ଅନୁମତି ଦିଆଯାଇଛି ।

ତେବେ ଲକଡାଉନ ସମୟରେ ସପ୍ତାହର ଶେଷ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ଦୁଇ ଦିନ ସମ୍ପୂର୍ଣ୍ଣ ସଟଡାଉନ ଲାଗୁ ହେବ । ଏହି ଦୁଇ ଦିନ କଟକଣା କଡାକଡି ଭାବେ ପାଳନ ହେବ । କେବଳ ଜରୁରୀ ସେବା ଯୋଗାଉଥିବା ଲୋକଙ୍କୁ ଛାଡି ଅନ୍ୟମାନଙ୍କୁ ଘରୁ ନବାହାରିବାକୁ କୁହାଯାଇଛି ।