ଗଙ୍ଗା ପାଇଁ ସଞ୍ଜିବନୀ ସାଜିଲା ଲକଡାଉନ୍ କଟକଣା । ଅଢ଼େଇ ମାସର ତାଲାବନ୍ଦ ବଦଳାଇଦେଲା ୩୪ ବର୍ଷର ଇତିହାସ, ପ୍ରଦୂଷିତ ପାଣି ଏବେ ପିଇବା ପାଣିରେ ପରିଣତ ହୋଇଗଲା ।

794

କନକ ବ୍ୟୁରୋ: କରୋନା ଲଢେଇରେ ଯେତେବେଳେ ପୁରା ଦେଶ ଘରେ ବନ୍ଦ ରହିଛି, ସେତିକିବେଳେ ସବୁଠାରୁ ଭଲ ଖବର ହେଉଛି ଯେ, ପ୍ରକୃତି ପୁରୁଣା ଅବସ୍ଥାକୁ ଫେରୁଛି । ଲକଡାଉନରେ ଘରେ ବନ୍ଦ ଲୋକମାନେ ପ୍ରଥମଥର ପାଇଁ ଏହି ଅନୁଭୂତି କରିଛନ୍ତି ଯାହା ହୁଏତ ସେମାନଙ୍କ ପାଇଁ କେବଳ କଳ୍ପନା ଥିଲା । କରୋନା ଯୋଗୁଁ କାରଖାନାରେ ପଡିଥିବା ତାଲା ନଦୀକୁ ନିର୍ମଳ କରିଦେଇଛି । ହରିଦ୍ୱାରରୁ ଆରମ୍ଭ କରି ପଟନା ଯାଏଁ ଗଙ୍ଗା ନଦୀର ସ୍ୱଚ୍ଛ ପାଣିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୀବନଦାୟିନୀ କୁହାଯାଉଥିବା ଗଙ୍ଗା, ଗଙ୍ଗୋତ୍ରିରୁ ଆରମ୍ଭ କରି ପଶ୍ଚିମବଙ୍ଗ ଯାଏଁ ଯଦି କେଉଁଠି ସବୁଠାରୁ ଅଧିକ ପ୍ରଦୂଷିତ ହୁଏ ତାହା ହେଉଛି ସହର । ହେଲେ କାନପୁରରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ କ୍ଷେତ୍ର ବାରଣାସୀ ଯାଏଁ ସବୁଠି ଏବେ ନିର୍ମଳ ଦିିଶୁଛି ଗଙ୍ଗା ନଦୀର ପାଣି । କାରଖାନାରୁ ନିର୍ଗତ ହେଉଥିବା ଆବର୍ଜନା ସାଙ୍ଗକୁ ଲୋକଙ୍କ ଚଳପ୍ରଚଳ ବନ୍ଦ ହୋଇଯିବା ଫଳରେ ଦୀର୍ଘ ୬୦ରୁ ୭୦ ବର୍ଷ ପରେ ପ୍ରଥମଥର ଗଙ୍ଗାର ଏଭଳି ନିର୍ମଳ ଛବି ଦେଖିବାକୁ ମିଳିଛି ।

ଗତ ୩୪ ବର୍ଷରେ ଗଙ୍ଗକୁ ପ୍ରଦୂଷଣମୁକ୍ତ କରିବା ପାଇଁ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାପରେ ମଧ୍ୟ ଯାହା ସମ୍ଭବ ହୋଇପାରିନଥିଲା, ତାକୁ କରିଦେଲା ୬୮ ଦିନର ଲକଡାଉନ୍ । ଗଙ୍ଗା ଜଳକୁ ସ୍ୱଚ୍ଛ କରିବା ପାଇଁ ନମାନୀ ଗଙ୍ଗେ ଭଳି ଯୋଜନା ଚାଲିଛି । ହେଲେ କରୋନା କାଳରେ ଲୋକେ ଘରେ ବନ୍ଦ ରହୁବାରୁ ସଫା ହୋଇପାରିଛି ଜୀବନଦାୟିନୀ ଗଙ୍ଗା ।

ଏବେ ହରିଦ୍ୱାରରେ ଗଙ୍ଗା ନଦୀର ପାଣି ସଂପୂର୍ଣ୍ଣ ସ୍ୱଚ୍ଛ ହୋଇଯାଇଛି । ଏତେ ସ୍ୱଚ୍ଛ ଯେ, ପାଣି ଭିତରେ ମାଟି ବି ଦେଖାଯାଉଛି । ଉତରାଖଣ୍ଡ ପ୍ରଦୂାଣ ନିୟନ୍ତ୍ରଣ ବୋର୍ଡ- ପିଏଚଇଏଲର ପିସିଆରଆଇ ଏଜେନ୍ସି ଦ୍ୱାରା ନିକଟରେ ଗଙ୍ଗା ଜଳର ଦେବପ୍ରୟାଗରୁ ଆରମ୍ଭ କରି ହରିଦ୍ୱାର ଯାଏଁ ନମୂନା ସଂଗ୍ରହ କରି ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା ।

– ଗଙ୍ଗା ଜଳ ଏବେ ‘ବି’ ଶ୍ରେଣୀରୁ ‘ଏ’ ଶ୍ରେଣୀକୁ ଚାଲିଆସିଛି
– ଯୋଉ ପାଣି ଗାଧୋଇବା ଯୋଗ୍ୟ ନଥିଲା ଏବେ ପିଇବା ଯୋଗ୍ୟ ହୋଇସାରିଛି
– ପାଣିରେ ଟିଡିଏସର ମାତ୍ରା ୭୨% ଓ ପିଏଚ୍ ଲେବଲ ମଧ୍ୟ ୮ ପ୍ରତିଶତ ରହିଛି
– ଅର୍ଥାତ ପାଣି ପିଇବା ପାଇଁ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ସ୍ୱିକୃତୀପ୍ରାପ୍ତ

ପାଣିର ପ୍ରକାରରେ ଆସିଥିବା ପରିବର୍ତନ ସଫା ସଫା ଦେଖାଯାଉଛି । ହରିଦ୍ୱାରର ପ୍ରସିଦ୍ଧ ଗଙ୍ଗା ଘାଟରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଥିଲା । ହେଲେ ଲକଡାଉନ କଟକଣା ପରେ ଏହି ସଂଖ୍ୟାରେ ଅଶ୍ୱାଭାବିକ ହ୍ରାସ ଘଟିଛି । ଯାହାର ପ୍ରଭାବ ଗଙ୍ଗା ନଦୀର ପବିତ୍ର ଜଳ ଉପରେ ପଡିଛି । ବର୍ଷବର୍ଷ ଧରି ସମାଜର ପାପ ଧୋଉଥିବା ପବିତ୍ର ଗଙ୍ଗ ପ୍ରଥମଥର ପାଇଁ ପ୍ରକୃତ ଅର୍ଥରେ ପବିତ୍ର ପାଲଟିଯାଇଛି ଅର୍ଥାତ ଏତେ ସ୍ୱଚ୍ଛ ପାଲଟି ଯାଇଛି ଯେ, ଏହାର ପାଣି ପିଇବା ଯୋଗ୍ୟ ହୋଇଯାଇଛି । ଆଉ କରୋନା ମହାମାରୀର ସଂକଟ ଆମକୁ ଦେଇଛି ବିରାଟ ଶିକ୍ଷା । ଯେଉଁ ଗଙ୍ଗାକୁ ସଫା କରିବା ପାଇଁ ସରକାରୀ ସ୍ତରରେ ହେଉଥିବା ପ୍ରୟାସ ବାରମ୍ବାର ବିଫଳ ହେଉଛି, ତାକୁ କେବଳ ସାଧାରଣ ମାନବୀୟ ଆଚରଣରେ ପରିବର୍ତନ କରି ସଫଳ କରିହେବ ଏହି ବାର୍ତା ଦେଶବ୍ୟାପୀ ଲକଡାଉନ ଆମକୁ ଦେଇଛି ।