କରୋନା ପରିସ୍ଥିତି ବୁଝାଇଲା ସରକାରୀ ସ୍କୁଲର ମହତ୍ତ୍ୱ : ଆର୍ଥିକ ଅଭାବ ସମୟରେ ଅଭିଭାବକଙ୍କୁ ସାହା ହେଲା ସରକାରୀ ସ୍କୁଲ୍ , ବେସରକାରୀ ସ୍କୁଲ୍ ଛାଡି ସରକାରୀ ସ୍କୁଲ୍ ମୁହାଁ ଛାତ୍ରଛାତ୍ରୀ 

2,727

କରୋନା ଭାଇରସରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଦେଶରେ ତାଲାବନ୍ଦର କଟକଣା ଲାଗିଲା । ଆଉ ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡ଼ିଲା । କିଛି ଲୋକଙ୍କ ହାତରୁ ରୋଜଗାର ଚାଲିଗଲା , ଆଉ କିଛି ଅଧାଦରମାରେ ପରିବାର ପ୍ରତିପୋଷଣ କଲେ । ଏଭଳି ଘଡ଼ିସନ୍ଧି ସ୍ଥିତିରେ ପଞ୍ଜାବ ଏବଂ ହରିୟାଣାରୁ ଏକ ଭିନ୍ନ ପରିସ୍ଥିତି ସାମ୍ନାକୁ ଆସୁଛି । ଏଠାକାର ଅନେକ ପରିବାର ନିଜ ପିଲାମାନଙ୍କୁ ବେସରକାରୀ ସ୍କୁଲରୁ ବାହାର କରି ସରକାରୀ ସ୍କୁଲରେ ନାମ ଲେଖାଉଛନ୍ତି । ମାର୍ଚ୍ଚ ଶେଷରୁ ଆରମ୍ଭ ହୋଇଥିବା ଲକଡ଼ାଉନ୍ ଲୋକଙ୍କ ଆର୍ଥୀକ ପରିସ୍ଥିତିକୁ ଦୋହଲାଇ ଦେଇଛି । ଏଭଳି ସମୟରେ ପ୍ରାଇଭେଟ୍ ସ୍କୁଲର ମୋଟାଅଙ୍କର ଫିସ୍ ଦେବାକୁ ପିତାମାତା ଅକ୍ଷମ । ହେଲେ ପିଲାଙ୍କ ପାଠପଢାକୁ ତ ରୋକିହେବନି … ତେଣୁ ପ୍ରାଇଭେଟ୍ ସ୍କୁଲରୁ ବାହାର କରି ପିଲାଙ୍କୁ ସରକାରୀ ସ୍କୁଲ୍ ପଠାଇବାକୁ ବାଧ୍ୟ ହେଉଛନ୍ତି ଅଭିଭାବକ ।

ଆପଣଙ୍କୁ କହିରଖୁଛୁ , ୨୦୧୯-୨୦ ରେ ସରକାରୀ ସ୍କୁଲର ମୋଟ ଛାତ୍ରଙ୍କ ସଂଖ୍ୟା ୨୩.୫୨ ଲକ୍ଷ ଥିଲା ଯାହା ୨୦୨୦ ରେ ୨୫.୬୨ ଲକ୍ଷ ହୋଇଯାଇଛି । ପ୍ରି-ପ୍ରାଇମେରୀ ନାମଲେଖା ସଂଖ୍ୟା ୨.୨୫ ଲକ୍ଷରୁ ୨.୯୫ ଲକ୍ଷ ହୋଇଯାଇଛି । ନବମ / ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩.୯୧ ରୁ ବଢି ୪.୧୩ ହୋଇଛି । ଏନେଇ ପଞ୍ଜାବ ଶିକ୍ଷାମନ୍ତ୍ରୀ ବିଜୟ ଇନ୍ଦର୍ ସିଙ୍ଗଲା କହିଛନ୍ତି , ସରକାରୀ ସ୍କୁଲରେ ବଢୁଥିବା ସୁବିଧା ,ନୀତି ଯୋଗୁଁ ବେସରକାରୀ ସ୍କୁଲକୁ ଛାଡି ସରକାରୀ ସ୍କୁଲ୍ ଆଡ଼କୁ ମୁହାଁଉଛନ୍ତି ଛାତ୍ରଛାତ୍ରୀ । ପଞ୍ଜାବ ଭଳି ହରିୟାଣାରେ ବି ସମ ପରିସ୍ଥିତି ଉତ୍ପର୍ଣ୍ଣ ହୋଇଛି । ହରିୟାଣା ସରକାର ସ୍କୁଲ୍ ଟ୍ରାନ୍ସଫର୍ ସାର୍ଟିଫିକେଟ୍ ହଟାଇ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ଆହୁରି ସୁବିଧା କରିଦେଇଛନ୍ତି ।