ବିଷ ବିଳୟରୁ କେବେ ମୁକୁଳିବ ରାଜଧାନୀ ଦିଲ୍ଲୀ?ପ୍ରଦୂଷଣର ମୁକାବିଲା ପାଇଁ ଜାରି ରହିବ ଲକଡାଉନ, ସମୀକ୍ଷା ପାଇଁ ଆଜି ଉଚ୍ଚସ୍ତରୀୟ ବୈଠକ । 

86

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ଏବଂ ଏନସିଆରକୁ ବାୟୁ ପ୍ରଦୂଷଣରୁ ନିସ୍ତାର ମିଳୁନାହିଁ। ଦିଲ୍ଲୀରେ ବାୟୁର ମାନ ‘ଅତି ଖରାପ’ ସ୍ତରରେ ଆଜି ମଧ୍ୟ ରହିଛି ଏବଂ ପରିସ୍ଥିତିରେ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବା ସମେତ ସମସ୍ତ ଲକଡାଉନ୍‌ କଟକଣା ବଳବତ୍ତର ରହିବ ବୋଲି ସରକାର ଘୋଷଣା କରିଛନ୍ତି। ପରିସ୍ଥିତିର ସମୀକ୍ଷା ପାଇଁ ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି  ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ସହରରେ ଯାନ ଚଳାଚଳକୁ ନିୟନ୍ତ୍ରଣରେ ରଖିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ।

ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଅଧିକ ସଂଗଠିତ କରିବା ପାଇଁ ୧୦୦୦ ଘରୋଇ ସିଏନଜି ବସକୁ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଲଗାତର ୮ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତି ଖରାପ ଶ୍ରେଣୀରେ ରହିଛି ଏବଂ ସହରର ମୋଟାମୋଟି ବାୟୁ ମାନ ସୂଚକାଙ୍କ ୩୪୭ରେ ପହଞ୍ଚିଯାଇଛି। ବାୟୁର ମାନ ପରିବର୍ତ୍ତନ ପାଇଁ ଯେଭଳି ବାୟୁ ପ୍ରବାହ ହେବାକଥା ତାହା ହେଉନଥିବାରୁ ଜଟିଳ ସ୍ଥିତି ଆହୁରି ୩ ଦିନ ପର୍ଯ୍ୟନ୍ତ ଲାଗି ରହିବା ଆଶଙ୍କା କରାଯାଉଛି । ଗତକାଲି ଦିଲ୍ଲୀର ବାୟୁମାନ ସୂଚକାଙ୍କ ୩୭୭ ଥିବା ବେଳେ ଏହା ଶୁକ୍ରବାର ୩୭୦ ରହିଥିଲା।

ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ ସହରର ସର୍ବନିମ୍ନ ଉତ୍ତାପ ଋତୁର ହାରାହାରିଠାରୁ ୨ ପଏଣ୍ଟ ଅଧିକ ୧୪.୫ ଡିଗ୍ରି ସେଲସିୟସ୍ ରହିଛି ଓ ସର୍ବାଧିକ ତାପମାତ୍ରା ୨୬ ଡିଗ୍ରି ରହିଛି। ପଡ଼ୋଶୀ ଗାଜିଆବାଦରେ ବାୟୁମାନ ସୂଚକାଙ୍କ ୩୪୨ ରହିଥିବା ବେଳେ ଗୁଡ଼ଗାଓଁରେ ୩୪୦ ଓ ନୋଏଡ଼ାରେ ୩୬୩ ରହିଛି। ବାୟୁ ପ୍ରଦୂଷଣର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ନିକଟରେ ୧୦ଟି ନିର୍ଦ୍ଦେଶାବଳି ଜାରି କରିଥିଲେ। ସେଥି ମଧ୍ୟରେ ରହିଛି, ସହର ଭିତରକୁ ଜରୁରୀ ସାମଗ୍ରୀ ବହନ କରୁ ନ ଥିବା ଟ୍ରକ୍ ପଶିପାରିବ ନାହିଁ ଏବଂ ସ୍କୁଲ, କଲେଜ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ।