ତାମିଲନାଡୁରେ ଜୁନ୍ ୨୮ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ ଅବଧି । ସାମାନ୍ୟ କୋହଳ ହେଲା କଟକଣା ।

103

କନକ ବ୍ୟୁରୋ : ଡାକ୍ତରୀ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ତାମିଲନାଡୁ ସରକାର ଜୁନ୍ ୨୮ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ବଢ଼ାଇଛନ୍ତି । ତେବେ ଲକଡାଉନର ଅବଧି ବଢ଼ିଥିଲେ ମଧ୍ୟ ସଂକ୍ରମଣ କମ ଥିବା ଜିଲ୍ଲାରେ ଲକଡାଉନ କଟକଣା କୋହଳ କରାଯାଇଛି । କମ ସଂକ୍ରମଣ ଥିବା ସ୍ଥାନରେ ଜରୁରୀ ସେବା ସହିତ ଅନ୍ୟ ଦୋକାନକୁ ଖୋଲିବାକୁ ଅନୁମତି ମିଳିଥିବା ବେଳେ ବିଭିନ୍ନ ପ୍ରକାର କାର୍ଯ୍ୟକୁ ଅନୁମତି ମିଳିଛି ।

ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ହେବାକୁ ଲାଗିଥିବା ବେଳେ ବିଭିନ୍ନ ରାଜ୍ୟରେ ଲାଗିଥିବା କଟକଣାକୁ କୋହଳ କରାଯାଉଛି । ଆଜି ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୮,୪୧୯ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧,୫୭୬ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୯୮,୮୧,୯୬୫ ଓ ମୃତ୍ୟୁ ସଂଖ୍ୟା ୩,୮୬,୭୧୩ରେ ପହଞ୍ଚିଛି ।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୮୭,୬୧୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୨,୮୭,୬୬,୦୦୯ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭,୨୯,୨୪୩ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୭,୬୬,୯୩,୫୭୨ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୧୯ ତାରିଖ ସୁଦ୍ଧା ସମୁଦାୟ ୩୯,୧୦,୧୯,୦୮୩ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୧୧,୪୪୬ଟି ନମୁନା ।