ପୁଣି ୧୬ ଦିନ ତାଲାବନ୍ଦ ଓଡିଶା । ଜୁନ୍ ୧୭ ଯାଏଁ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ୩ ଜିଲ୍ଲାରେ କଟକଣା କୋହଳ ।

872

କନକ ବ୍ୟୁରୋ: ରାଜ୍ୟରେ ପୁଣିଥରେ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ଜୁନ୍ ୧୭ ଯାଏଁ ତାଲାବନ୍ଦ ରହିବ ଓଡିଶା । ଆଜି ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଆସନ୍ତା ୧୭ ତାରିଖ ଯାଏଁ ଓଡିଶାରେ ଲାଗୁ ରହିବ ଲକଡାଉନ୍ । ଏହି ସମୟରେ ପୂର୍ବଭଳି ସମସ୍ତ ନିୟମ ଓ କଟକଣା ଲାଗିରହିବ । ତେବେ କେବଳ ୩ଟି ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ କରାଯାଇଛି । ଏହି ୩ ଜିଲ୍ଲାରେ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାରହିବ । ଏହାବାଦ ଅନ୍ୟ ସମସ୍ତ ଜିଲ୍ଲାରେ ପୂର୍ବଭଳି ୧୧ଟା ଯାଏଁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ ।

ତେବେ ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ଲକଡାଉନ୍ ଲାଗିବା ଫଳରେ ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ଏହାର ଅବଧି ବୃଦ୍ଧି କରିଛନ୍ତି ।  ସଂକ୍ରମଣ କମିଲେ କଟକଣା ମଧ୍ୟ କୋହଳ ହେବ ।