୪ ଜିଲ୍ଳାରେ ୧୪ ଦିନ ଯାଏଁ ସାଲିସ୍ ନାହିଁ: ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ସମୀକ୍ଷା; କହିଲେ, କଡାକଡି ଭାବେ ଲକଡାଉନ୍ ଲାଗୁ କରିବାକୁ ନିର୍ଦ୍ଦେଶ

ସଂକ୍ରମଣକୁ ରୋକିଦେବାକୁ ଚାହୁଁଛନ୍ତି ସରକାର

284

କନକ ବ୍ୟୁରୋ: ପ୍ରଥମେ ପ୍ରାୟ ୭୦ ଦିନ ଧରି ଲକ୍ଡାଉନ୍ ରହିବା ପରେ ଅନ୍ଲକ୍ ପର୍ଯ୍ୟାୟ ଭିତରେ ପଶିଥିଲା ଓଡିଶା । ହେଲେ ବିଶେଷ କିଛି ଫଳ ମିଳିଲା ନାହିଁ । ଜୁନ୍ ମାସରେ ସଂକ୍ରମଣ ବଢିଲା ଏବଂ ଏବେ ଜୁଲାଇ ମାସରେ ହୁ ହୁ ହୋଇ ବଢିଲା କରୋନା । କିନ୍ତୁ ସରକାର ଆଉ କିଛି ବାଟ ନପାଇ ପୁଣି ଥରେ ସେହି କଠୋର ଲକ୍ଡାଉନ୍ ପର୍ଯ୍ୟାୟ ଭିତରେ ପଶିଯିବା ପାଇଁ ନିଷ୍ପତି ନେଇଛନ୍ତି  ଏବଂ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ କାଲି ରାତି ୯ଟାରୁ ତାଲାବନ୍ଦ ଆରମ୍ଭ ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବ ଏକ ସମୀକ୍ଷା ବୈଠକ କରିବା ସହ ବର୍ତମାନର ଲକ୍ଡାଉନ୍କୁ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସମୟରେ ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ବୈଜ୍ଞାନିକ ପଦ୍ଧତିରେ କେତେକ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ତେଣୁ  ତୃଣମୂଳ ସ୍ତରରେ କୌଣସି ପ୍ରକାର କୋହଳ କରିବା ପ୍ରଶ୍ନ ଉଠୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ରୋକଠୋକ ଶୁଣାଇ ଦେଇଛନ୍ତି । ସାରା ରାଜ୍ୟ ଏବେ ଏକଜୁଟ୍ ହୋଇ ମହାମାରୀ କରୋନା ବିରୋଧରେ ଲଢେଇ କରୁଛି । ଏହି ସମୟରେ ସମସ୍ତ ବିଭାଗ ପରସ୍ପର ସହ ସମନ୍ୱୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରୋଗକୁ ରୋକିବା ହିଁ ଏକ ମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏପଟେ ଭୁବନେଶ୍ୱର-କଟକ ପୁଲିସ କମିଶନର କହିଛନ୍ତି, ଏଥର ଲକ୍ଡାଉନ୍ ପୂର୍ବ ଭଳି ନୁହେଁ ବରଂ ଆହୁରି କଡାକଡି ହେବ ।