ମହାମାରୀରେ ମହାନଦୀ ଆଣିଲା ଖୁସି ଖବର: ମହାନଦୀ ପାଇଁ ଆଶୀର୍ବାଦ ବନିଲା ଲକଡାଉନ । ୫୦ପ୍ରତିଶତ ପ୍ରଦୂଷଣ ମୁକ୍ତ ହେଲା ଓଡ଼ିଶାର ଜୀବନ ରେଖା ମହାନଦୀ । ଜିଲ୍ଲା ପ୍ରଦୂଷଣ ଅଧିକାରୀ କହିଲେ, ନଦୀରେ ବେଶି ମାତ୍ରାରେ ନାହିଁ ସହରର ପ୍ରଦୂଷିତ ପାଣି ।

490

କନକ ବ୍ୟୁରୋ: ପ୍ରକୃତିର ଏଭଳି ଅପରୂପ ସୌନ୍ଦର୍ଯ୍ୟ ଆପଣ ପୂର୍ବରୁ କେବେ ଦେଖିଥିଲେ? ନିର୍ମଳ ଆକାଶରେ ଉଡିଯାଉଥିବା ପକ୍ଷୀଙ୍କ ଏହି କାକଳୀ ଆପଣଙ୍କ କାନକୁ କେବେ ଶୁଭିଥିଲା? ନଦୀନ ନିର୍ମଳ ଜଳ ଆପଣ କେବେ ପିଇଥିଲେ, ହୁଏତ ଆପଣଙ୍କର ମନେ ନଥିବ । କୁହାଯାଏ ସବୁ ସମସ୍ୟାର ଦୁଇଟି ଦିଗ ରହିଛି । ଗୋଟିଏ ବିନାଶକାରୀ, ତ ଆଉ ଗୋଟିଏ ସୃଜନାତ୍ମକ । ବିଶ୍ୱ ମହାମାରୀ କରୋନା ଆଜି ସୁଯୋଗ ସୃଷ୍ଟି କରିଛି ଯେ, ଲୋକେ ପ୍ରକୃତିର ସେହି ରୂପକୁ ଦେଖିପାରୁଛନ୍ତି ଯାହା ବିଶୟରେ କେବଳ ଶୁଣିବାକୁ ମିଳୁଥିଲା ।

କରୋନା ମୁକାବିଲା ପାଇଁ ପ୍ରାୟ ଅଢେଇ ମାସର ଲକଡାଉନ ଫଳରେ ଲୋକଙ୍କ ଗମନା ଗମନ ଉପରେ କଟକଣା ଲାଗିଛି । ରାଜ୍ୟବ୍ୟାପୀ କଳ କାରଖାନା ବନ୍ଦ ରହିଛି । ଯାହାର ପରିଣାମ ସ୍ୱରୂପ ନଦୀ ଏବେ ନିଶ୍ୱାସ ନେଉଛି । ଲକଡାଉନ ଯୋଗୁଁ ଜୀବନ୍ତ ହେଉଛି ମହାନଦୀ । ସମ୍ବଲପୁରରେ ଆକାଶ ଯେତିକି ନିର୍ମଳ ଦେଖାଯାଉଛି, ମହାନଦୀର ପାଣି ବି ସେତିକି ପରିଷ୍କାର । ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀର ପାଣି ସ୍ପଟିକ ଦିଶୁଛି, କାରଣ ପ୍ରଦୂଷଣର ମାତ୍ରା ୫୦ ପ୍ରତିଶତ କମିଯାଇଛି । ସ୍ୱଚ୍ଛ ପାଣିରେ ଏହିଭଳି ପିଲାଙ୍କ ଜଳକ୍ରୀଡା ଆପଣଙ୍କୁ ପ୍ରକୃତି କୋଳକୁ ଫେରିଯିବା ପାଇଁ ହାତଠାରି ଡାରିବ ନିଶ୍ଚୟ । କଳକଳ ଶବ୍ଦ କରି ବହିଯାଉଥିବା ପାଣି ଆପଣଙ୍କୁ ବୁଡଟିଏ ମାରିବାକୁ ବାଧ୍ୟ କରିବ । ଯାହା ପୂର୍ବରୁ ଆପଣ କେବେ କଳ୍ପନା ବି କରିପାରୁ ନଥିଲେ ।

ମହାନଦୀର ଏହି ସ୍ୱଚ୍ଛ ଚେହେରା ଦେଖିବା ପରେ ଅଢେଇ, ତିନିମାସ ତଳର ମହାନଦୀ କଥା ମନେ ପଡୁଛି । ପାଣିରେ ଆପଣଙ୍କ ଛବି କିମ୍ବା ପାଣି ଭିତରେ ମାଟି ଦେଖିଯିବା କଥା କେହି କଳ୍ପନା ବି କରୁନଥିଲେ । ମହାନଦୀର ଗୋଳିଆ ପାଣିରେ ବିଷାକ୍ତ ହୋଇ ଉଠୁଥିଲା ମଣିଷର ମନ । ସବୁ ଅଳିଆ ଆବର୍ଜନା ଏହି ମହାନଦୀ ପାଣିରେ ଭାସୁଥିଲା । ସତେଯେମିତି ସହରକୁ ସ୍ୱଚ୍ଛ କରିବା ପାଇଁ ନିଜକୁ ଆବର୍ଜନାମୟ କରିପକାଇଥିଲା ମହାନଦୀ । ଗୋଳିଆ ମାଟିମିଶା ପାଣି ପିଇବା କଥା ଛାଡନ୍ତୁ, ଗୋଡ ବୁଡାଇଲା ବେଳେ ଦେଶ ଶୀତେଇ ଉଠୁଥିଲା । ମନ ମଇଳା ହୋଇଯାଉଥିଲା । ହେଲେ ଦିନ କେଇଟାରେ ମହାନଦୀର କଳେବର ଏଭଳି ପରିବର୍ତନ ହେବ କେହି କେବେ କଳ୍ପନା ବି କରିନଥିଲା ।

ଲକଡାଉନ ଫଳରେ ମହାନଦୀ ଅବବାହିକାରେ ଥିବା ସହରାଂଚଳ ସମେତ ସମ୍ବଲପୁର ମ୍ୟୁନିସିପାଲିଟିରୁ ଆବର୍ଜନା ପାଣି ମଧ୍ୟ ସେତେ ମାତ୍ରାରେ ନଦୀ ଭିତରକୁ ଆସିନାହିଁ । ଜିଲ୍ଲା ପ୍ରଦୂଷଣ ବିଭାଗର କରିବା ହେଲା ଲକଡାଉନ ଫଳରେ ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ କମିଛି ଓ ଡିଜଲ୍ଭ ଅକ୍ସିଜେନ୍ ଡିମାଣ୍ଡ ବଢିଛି । ଫଳରେ ମହାନଦୀର ପାଣି ପ୍ରାୟ ୫୦ ପ୍ରତିଶତ ପ୍ରଦୂଷଣମୁକ୍ତ ହୋଇଛି ।

ଦେଶରେ ୬୮ ଦିନର ଲକଡାଉନ ପରେ ଏବେ ପ୍ରଥମ ପର୍ଯ୍ୟାୟ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ତଥାପି ଅନେକ କାର୍ଯ୍ୟାକଳାପ ଉପରେ କଟକଣା ରହିଛି । ଯାହା ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି । ଲୋକେ ଘରେ ବନ୍ଦ ହୋଇ ରହୁଛନ୍ତି । ଗରିବ, ଶ୍ରମଜୀବୀ ଓ ତଳସ୍ତରର ଲୋକ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ସାମଗ୍ରୀ ମିଳିବାରେ ସମସ୍ୟା ହେଉଛି । ଲୋକଙ୍କ ମାନସିକ ସନ୍ତୁଳନ ବିଗିଡି ଯାଉଛି । ଘରୋଇ ହିଂସା ବଢୁଛି । ହେଲେ ତାଲାବନ୍ଦର ଏହି ପ୍ରଭାବ ପ୍ରକୃତି ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।