ଦିନେ ସାଇକେଲ ଧରି ମହାରାଷ୍ଟ୍ରରୁ ଫେରିଥିଲେ । ଆଜି ‘ସାଇକେଲ ଚା ୱାଲା’ ପାଲଟିଗଲେ । ଦୁଇ ବର୍ଷ ପରେ ବଦଳିଗଲା ଦୁନିଆ ।

376

କନକ ବ୍ୟୁରୋ: ଠିକ୍ ଦୁଇ ବର୍ଷ ତଳେ ଗୋଟେ ସାଇକେଲ୍, ଗୋଟେ ପ୍ଲାଷ୍ଟିକ ବାଲତି, ଦୁଇଟା ବ୍ୟାଗ୍ ଧରି ସୁଦୂର ମହାରାଷ୍ଟ୍ରରୁ ଯାଜପୁର ଆସିଥିଲେ ଏ ଯୁବକ । ଯେତେବେଳେ ସାରା ଦେଶରେ ତାଲା ପଡିଥିଲା, ପୂର୍ଣ୍ଣ ସହର ଶୂନ୍ୟ ହୋଇଥିଲା ଠିକ୍ ସେତେବେଳେ ୧୭୦୦ କିଲୋମିଟର ଯାତ୍ରା କରି ନିଜ ଭିଟାମାଟିକୁ ଫେରିବାର ସାହସ ଜୁଟାଇ ୭ ଦିନରେ ଯାଜପୁରରେ ପହଞ୍ଚିଥିଲେ ମହେଶ୍ୱର । ହେଲେ ୟା ଭିତରେ ଦୁଇ ବର୍ଷ ବିତିଗଲାଣି । ତାଲା ବି ଫିଟିଗଲାଣି । ଜୀବନ ଜୀବୀକା ସ୍ୱଭାବିକ ହେଲାଣି । ଆଉ ଏହି ଦୁଇ ବର୍ଷ ମଧ୍ୟରେ ମହେଶ୍ୱରଙ୍କ ଦୁନିଆ ହିଁ ବଦଳିଯାଇଛି । ସଙ୍ଘର୍ଷର ପେଡାଲ ମାରୁଥିବା ପାଦ, ପରିଶ୍ରମ କରି ପରିଚୟ ତିଆରିଛି । ଲକଡାଉନରେ ପାଣି ଟୋପେ ପାଇନଥିବା ପାଟି ଆଜି ଅନ୍ୟକୁ ଚା ପିଆଇ ଚାଏ ବାଲା ସାଜିଛି । ଆଉ ଦୁଇ ବର୍ଷ ଭିତରେ ଦୂରତା-ଦାରିଦ୍ରତା-ଦୁଃଖ ଓ ଦୁର୍ଦ୍ଦିନର ସାକ୍ଷୀ ସାଜିଥିବା ସେ ସାଇକେଲ ବି ଅଛି ।

ଇଏ ହେଉଛି ସେହି ସାଇକେଲ । ଯାହାକୁ ଚଢି ମହାରାଷ୍ଟ୍ରରୁ ଆସିଥିଲେ ମହେଶ୍ୱର । ଆଉ ଇଏ ହେଉଛି ତାଙ୍କ ଷ୍ଟାର୍ଟଅପ୍ । ଯାହାକୁ ସେ ସେହି ସାଇକେଲ୍ ନାଁରେ ହିଁ ରଖିଛନ୍ତି । ମାନେ ଜୀବନ ଭୟରେ ଯେଉଁ ସାଇକେଲରେ ସେ ୧୭ ଶହ କିମି ଫେରିଥିଲେ ଏବେ ଜୀବନ ବଞ୍ଚାଇବା ପାଇଁ ସେ ବନିଛନ୍ତି  ସାଇକେଲ ଚା ୱାଲା । ସେଦିନର ସାଇକେଲ ଯାତ୍ରା ତାଙ୍କୁ ଦେଇଛି ସାଇକେଲ ଚା ୱାଲାର ପରିଚୟ । ଯାଜପୁରର ଏହି ଚା ଦୋକାନରେ ଗରମ ଗରମ ଚା ପାତ୍ର ପାଖରେ ପ୍ଲାଷ୍ଟିକ୍ ଗ୍ଲାସର ଗହଳି ଲାଗିଲା ପରି ଦୋକାନ ଆଗରେ ଚା ଅପେକ୍ଷାରେ ଥାନ୍ତି ଗ୍ରାହକ । ମହେଶ୍ୱରଙ୍କ ମିଷ୍ଟ ଭାଷା ଏବଂ ଉତ୍ତମ ବ୍ୟବହାର ପାଇଁ ତାଙ୍କ ପାଖରେ ଲୋକଙ୍କ ଲମ୍ବା ଲାଇନ୍ ଲାଗେ ।

ଏତେ ବଡ ସଂସାରରେ ଏକୁଟିଆ ମହେଶ୍ୱର । ବାପା ଏହି କିଛି ଦିନ ହେବ ଆଖିବୁଜିଛନ୍ତି । ମାଆ ପଞ୍ଜାବର ହେତୁ ସେ ସେଠାରେ ରୁହନ୍ତି । ତେଣୁ ଏହି ଚା ଦୋକାନ ଆଉ ଏ କ୍ୟାବିନ ହିଁ ତାଙ୍କର ସବୁକିଛି । ସେ ଏଇଠି ରୁହନ୍ତି ଏଇଠି ଶୁଅନ୍ତି । ଏତେ କମ୍ ବୟସରୁ ସଂଘର୍ଷର ସ୍କୁଲରେ ପଢି ଜୀବନର ଜ୍ୟାମିତିକୁ ସହଜରେ ସମାଧାନ କରିବାର ସାହସ ପାଇଛନ୍ତି ମହେଶ୍ୱର । ଯାହା ତାଙ୍କୁ  ଆଗକୁ ବଢିବାର ପ୍ରେରଣା ଦେଉଛି ।