ପୁଣି ଦେଶର ବିଭିନ୍ନ ସ୍ଥାନରେ ଫେରୁଛି ଲକଡାଉନ୍ । ଗୁଜରାଟରେ ସୋମବାର ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି, ମଧ୍ୟପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ, ଦିଲ୍ଲୀରେ ପରିସ୍ଥିତି ଅସମ୍ଭାଳ ।

2,991

କନକ ବ୍ୟୁରୋ : ଦେଶର ବିଭିନ୍ନ ରାଜ୍ୟକୁ କରୋନା ସଂକ୍ରମଣ ଫେରିବା ପରେ ଲକାଡାଉନ୍ ଫେରିଛି । ଦିଲ୍ଲୀ, ହରିଆଣା, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକଟ ବଢିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ତାଲାବନ୍ଦ ଘୋଷଣା କରାଯାଇଛି । ଗୁଜୁରାଟରେ ଗତକାଲି ଠାରୁ ଜାରି ହୋଇଥିବା କର୍ଫ୍ୟୁକୁ ସୋମବାର ଯାଏଁ ବଳବତର ରଖାଯାଇଛି । ହେଲେ ବର୍ତମାନ ସମୟରେ ଓଡିଶାରେ ଲକଡାଉନର ଆବଶ୍ୟକତା ନାହିଁ । ରାଜ୍ୟରେ ସଂକ୍ରମଣ ହାର କମ୍ ରହିଛି, ଲୋକେ ସତର୍କ ରହିଲେ କରୋନାକୁ ରୋକି ହେବ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ।

ପୁଣି ଫେରିଛି ତାଲାବନ୍ଦ । ଭାରତରେ ବଢିଛି କରୋନା ସଂକ୍ରମଣ । ଉତ୍ତର ଭାରତ ଓ କେନ୍ଦ୍ରୀୟ ଭାରତରେ କରୋନା ବଢାଇଛି ଚିନ୍ତା । କ୍ରମାଗତ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ଦିଲ୍ଲୀ, ହରିଆଣା, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ପ୍ରଶାସନ ପାଇଁ ଚିନ୍ତା ବଢାଇଛି । ହିସାବ ଅନୁସାରେ ଗତ ୨୪ ଘଂଟାରେ ଦିଲ୍ଲୀରେ ୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୫ହଜାର ୬ଶହରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ହରିଆଣାରେ ପ୍ରାୟ ୩ ହଜାରରୁ ଅଧିକ ଓ ରାଜସ୍ଥାନରେ ୨ ହଜାର ୭ଶହରୁ ଅଧିକ ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

କରୋନା ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକାଧିକ ରାଜ୍ୟରେ ତାଲାବନ୍ଦ ଫେରିଛି । ଏପରିକି ସଂକ୍ରମଣକୁ ରୋକିବା ପାଇଁ ଗୁଜୁରାଟରେ ଦୁଇ ଦିନିଆ ସାପ୍ତାହିକ କର୍ଫ୍ୟୁ ବି ଲାଗୁ କରାଯାଇଛି ।

ଗୁଜୁରାଟର ଅହମଦାବାଦରେ ଶୁକ୍ରବାର ରାତିରୁ ସୋମବାର ସକାଳ ଯାଏଁ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ସ୍ଥାନେ ସ୍ଥାନେ ନାକାବନ୍ଦି କରି ଯାଂଚ କରୁଛି ପୋଲିସ । ଅନ୍ୟପଟେ ସୁରଟ, ଭଦୋଦରା, ରାଜକୋଟରେ ଶନିବାର ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି । ଏଥିପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି । ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସବୁ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ମଧ୍ୟପ୍ରଦେଶରେ ମଧ୍ୟ ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ଅଧିକ ଥିବା ବେଳେ ଭୋପାଲ, ଇନ୍ଦୋର, ଗ୍ୱାଲିଅର, ରତଲାମ୍, ବିଦିଶା ଆଦି ସ୍ଥାନରେ ରାତିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି । ନଭେମ୍ବର ୨୩ରୁ ମହାରାଷ୍ଟ୍ରରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଏହାକୁ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ହରିଆଣାରେ ପୁଣି ଥରେ ସ୍କୁଲକୁ ବନ୍ଦ ପାଇଁ ଘୋଷଣା କରିଛନ୍ତି । ଦିଲ୍ଲୀରେ ମାସ୍କ ପିନ୍ଧାକୁ ବାଧ୍ୟତାମୂଳକ କରିବା ସହ ୨ ହଜାର ଟଙ୍କାର ଜରିମାନା ଘୋଷଣା କରିଛନ୍ତି ସରକାର ।

ଓଡିଶାରେ ବର୍ତ୍ତମାନ ସଂକ୍ରମଣ ହାର କମ୍ ଥିବା ବେଳେ ସତର୍କତା ହିଁ ସଂକ୍ରମଣକୁ ରୋକି ପାରିବ ବୋଲି କୁହାଯାଉଛି । ତେବେ ଲୋକମାନେ ସତର୍କ ରହିଲେ ରାଜ୍ୟରେ ତାଲାବନ୍ଦ ପରି ପରିସ୍ଥିତି ଆବଶ୍ୟକ ହେବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓଡିଶା ମୁଖ୍ୟ ମତ ଦେଇଛନ୍ତି ।