ଛତିଶଗଡ ପରେ ମଧ୍ୟପ୍ରଦେଶରେ ଲାଗୁହେଲା ଲକଡାଉନ୍ । ପ୍ରମୁଖ ସହର ମାନଙ୍କରେ ୬୦ ଘଂଟିଆ ଲକଡାଉନ

199

କନକ ବ୍ୟୁରୋ : ସାରା ଦେଶରେ କରୋନା ସଂକଟ ଭିତରେ ମଧ୍ୟପ୍ରଦେଶରେ ବି କରୋନା ସଂକ୍ରମଣ ଭୟାନକ ରୂପ ନେବାରେ ଲାଗିଛି । ଏହାରି ମଧ୍ୟରେ ସଂକ୍ରମଣକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ପ୍ରମୁଖ ସହର ମାନଙ୍କରେ ୬୦ ଘଂଟା ପାଇଁ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଲକଡାଉନ୍ ଶୁକ୍ରବାର ସଂନ୍ଧ୍ୟା ୬ ଟାରୁ ଆରମ୍ଭ ହୋଇ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଭୋପାଳ ଠାରେ ଏନେଇ ଆୟୋଜିତ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ    । ଏହାସହ ବଡ ବଡ ସହର ମାନଙ୍କରେ କଣ୍ଟେନମେଣ୍ଟ ଜୋନ ବି ରହିବ । କେଉଁଠି କଣ୍ଟେନମେଣ୍ଟ ଜୋନ ହେବ ତାହା ବିପର୍ଯ୍ୟୟ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ଶିବରାଜ୍ କହିଛନ୍ତି ।

ଏହାପୂର୍ବରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ସପ୍ତାହକୁ ୫ ଦିନ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ହେଲେ କାର୍ଯ୍ୟ ନିର୍ଘଣ୍ଟକୁ ୬ ଘଂଟା ବଦଳରେ ୮ ଘଂଟା କରାଯାଇଛି । ଅର୍ଥାତ ସକାଳ ୧୦ ରେ ଅଫିସ ଖୋଲିବ ଓ ସଂନ୍ଧ୍ୟା ୬ ଟାରେ ବନ୍ଦ ହେବ ।

ଏହାସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ନେଇ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ମୁତାବକ ଏପ୍ରିଲ ୮ ତାରିଖ (ଆଜି) ଠାରୁ ରାତି ୧୦ ରୁ ସକାଳ ୬ ଯାଏ ନାଇଟ୍ କର୍ଫ୍ୟୁ ଲାଗୁହେବ । ଅନ୍ୟ ଆଦେଶ ନମିଳିବା ଯାଏ ଏହା କାଏମ ରହିବ । ଏହାସହ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଲକଡାଉନ୍ ରହିବ । ଅନ୍ୟପଟେ କରୋନା କଟକଣା ଉଲଙ୍ଘନ କଲେ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।