ଦିଲ୍ଲୀରେ ବହୁଛି ବିଷାକ୍ତ ବାୟୁ । ପ୍ରଦୂଷଣ ପାଇଁ ଲାଗିଲା ଲକଡାଉନ୍ ।

167

କନକ ବ୍ୟୁରୋ : ଦିଲ୍ଲୀକୁ ଫେରିଲା ଲକଡାଉନ । ଏ ଲକଡାଉନ କରୋନା ପାଇଁ ନୁହେଁ ପ୍ରଦୂଷଣ ପାଇଁ । ଶୀତ ଦିନେ ଦିଲ୍ଲୀକୁ ପ୍ରଦୂଷଣ ଫେରିଛି । କରୋନା ବେଳେ ଦିଲ୍ଲୀବାସୀ ଧୂଳି-ଧୂଆଁରେ ଧନ୍ଦି ହେଉଛନ୍ତି । ପ୍ରଦୂଷଣ ମାତ୍ରା ବଢିବାରୁ ସପ୍ତାହେ ପାଇଁ ବନ୍ଦ ଘୋଷଣା କରିଛନ୍ତି ସରକାର । ହେଲେ ଏପରି ସ୍ଥିତି ପାଇଁ ଦାୟୀ କିଏ ? କାହିଁକି ପ୍ରତିବର୍ଷ ଏମିତି ସ୍ଥିତି ଉପୁଜୁଛି ? ଆଉ ସମାଧାନ ପାଇଁ ଶୀତ ତାପ ନିୟନ୍ତ୍ରଣ ରୁମରେ ବୈଠକ ବସୁଛି । ହେଲେ ପଦକ୍ଷେପ କଣ ନିଆଯାଇଛି ତାହା ଏବେ ସାର୍ବଜନୀନ ହେବା ଦରକାର ।

ଧୂଳି… ଧୂଳି ଆଉ ଧୂଳି । ୨୦-୩୦ ମିଟର ପରେ କଣ ରହିଛି କିଛି ଜଣାପଡୁନି । ଏଭଳି ସାଂଘାତିକ ପ୍ରଦୂଷଣ ପାଇଁ ଦିଲ୍ଲୀରେ ଫେରିଛି ଲକଡାଉନ୍ ।

ଏଥିପାଇଁ ଆସନ୍ତା ଗୋଟିଏ ସପ୍ତାହ ବନ୍ଦ ରହିବ ସ୍କୁଲ
– ଅନଲାଇନରେ ଜାରି ରହିବ ପାଠ ପଢା
– ସପ୍ତାହେ ସରକାରୀ କର୍ମଚାରୀ ଅଫିସ୍ ଯିବେ ନାହିଁ
– ସରକାରୀ କାମ ଘରୁ କରିବାକୁ ନିର୍ଦ୍ଦେଶ
– ୧୭ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାମ ଉପରେ ରୋକ୍
– ଦିଲ୍ଲୀରେ ପାର୍କିଂ ଚାର୍ଜ ୩ରୁ ୪ ଗୁଣା ବୃଦ୍ଧି
– ଇଟା ଭାଟି କିଛି ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ
– ନିୟମିତ ଭାବେ ଦିଲ୍ଲୀର ରାସ୍ତାକୁ ସଫା କରାଯିବ

ବଡ ବଡିଆଙ୍କ ଏହି ସହରର ସମସ୍ୟାକୁ ନେଇ ସାଧାରଣ ଲୋକଙ୍କ ପାଖରୁ ଆରମ୍ଭ କରି ସୁପ୍ରିମକୋର୍ଟ ମଧ୍ୟ ଚିନ୍ତିତ । କରୋନା ବେଳେ ରାଜଧାନୀର ଏପରି ବାୟୁ ପ୍ରଦୂଷଣ ସରକାରଙ୍କ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରବିବାର ସିଷ୍ଟମ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ କହିଛି ଦିଲ୍ଲୀରେ ବାୟୁର ମାନ ବହୁତ ଖରାପ ରହିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ଏବେ ୩୮୬ ସ୍ତରରେ ପହଞ୍ଚିଛି । ସେହିପରି ନୋଏଡାରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ, ୫୩୬ ସହିତ ବିପଦପୂର୍ଣ୍ଣ ଶ୍ରେଣୀରେ ରହିଛି । ଗୁରୁଗ୍ରାମର ସ୍ଥିତି ବି କିଛି କମ୍ ନୁହେଁ, ବାୟୁର ମାନ ୪୨୩ ରହିଛି ।

ଅନ୍ୟପଟେ ଦିଲ୍ଲୀରେ ପ୍ରଦୂଷଣ ସତର୍କ ଘଂଟି ବଜାଇବା ପରେ ଆରମ୍ଭ ହୋଇଛି ସଚେତନତା । ରବିବାର ସକାଳୁ ରାହାଗିରି ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ଆଗାମୀ ଦିନରେ ପରିବେଶ ପ୍ରଦୂଷଣ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ପ୍ରଦୂଷଣ କମାଇବାକୁ ସରକାର ନିୟମ ଆଣିବା ଦରକାର ।

ପ୍ରତିବର୍ଷ ଶୀତ ଆସିଲେ ରାଜଧାନୀ ପାଇଁ ପ୍ରଦୂଷଣ ଗୋଟିଏ ବଡ ଚିନ୍ତା ପାଲଟେ । ସମସ୍ୟାର ସମାଧାନ ପାଇଁ ସମସ୍ତେ ଚିନ୍ତିତ ବୋଲି କହି ହୁଅନ୍ତି । କିନ୍ତୁ ପ୍ରଦୂଷଣ କମିଗଲେ ସମାଧାନ ନେଇ ଆନ୍ତରିକତା ମଧ୍ୟ କମିଯାଏ । ଯେଉଁଥିପାଇଁ ପ୍ରତିବର୍ଷ ଏପରି ପ୍ରଦୂଷଣକୁ ସାମ୍ନା କରନ୍ତି ଦିଲ୍ଲୀବାସିନ୍ଦା ।