ପୁଣି ଚିନ୍ତା ବଢାଇଲାଣି ଚାଇନା । ଗୋଟିଏ ଦିନରେ ୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଜାରି ହେଲା ଲକଡାଉନ୍ ।

279

କନକ ବ୍ୟୁରୋ : କରୋନା ଉତ୍ପତି ସ୍ଥଳ କୁହାଯାଉଥିବା ଚୀନରେ ଏବେ ଡେଲଟା ଭାଇରସର ଭୟ ରହୁଛି । ୭୦ ପ୍ରତିଶତ ଲୋକଙ୍କୁ ଟିକା ଦିଆସରିଛି, ତଥାପି ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗୋଟିଏ ଦିନରେ ୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ବେଜିଂକୁ ବନ୍ଦ କରିଦେଇଛନ୍ତି ଚୀନ୍ ସରକାର । ସେପଟେ ଋଷ ଓ ବ୍ରିଟେନରେ ସ୍ଥିତି ସଂଗୀନ ହେବାରେ ଲାଗିଛି ।

କରୋନା ବିରୋଧରେ ଏମିତି ଲଢୁଛି ଚୀନ୍ । ୪୦ ନୂଆ ସଂକ୍ରମଣ ଚିହ୍ନଟ ପରେ ବେଜିଂ ବନ୍ଦ । ଚୀନର ଉହାନରୁ କରୋନା ସଂକ୍ରମଣ ଚିହ୍ନଟ ପରେ ଏହା ସାରା ବିଶ୍ୱରେ ନିଆଁ ଭଳି ବ୍ୟାପିଯାଇଥିଲା । ସେହି ସମୟରେ ବିଶ୍ୱରେ ପ୍ରଥମ ଦେଶ ଭାବେ ଚୀନ ହିଁ କରୋନାକୁ ନିୟନ୍ତ୍ରଣ କରିପାରିଥିଲା । ସେହି ଚୀନରେ ଏବେ ପୁଣି କରୋନା ମାମଲା ବଢିବାରେ ଲାଗିଛି ।

ଚୀନରେ ୭୦ରୁ ଅଧିକ ପ୍ରତିଶତ କରୋନା ଟିକାକରଣ ସତ୍ୱେ ସଂକ୍ରମଣ ବଢିବା ଜିଙ୍ଗପିଙ୍ଗ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ରାଜଧାନୀ ବେଜିଂ ସମେତ ୧୯ଟି ପ୍ରୋଭିନ୍ସରେ ସଂକ୍ରମଣ ବଢିବାରେ ଲାଗିଛି । କିନ୍ତୁ ସଂକ୍ରମଣ ସଂଖ୍ୟା ଅନ୍ୟଦେଶ ତୁଳନାରେ ଢେର କମ ରହିଛି । ହେଲେ ଚୀନର ଶୂନ ସଂକ୍ରମଣ ନୀତି ପାଇଁ ଦୃଢ ପଦକ୍ଷେପ ନେଉଛି ଚୀନ ସରକାର । ଦେଶରେ ୬ଶହ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ବେଜିଂରୁ ସାମ୍ନାକୁ ଆସିଛି ୪୦ଟି ମାମଲା ।

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଚୀନରେ ଏବେ ୧୦୦୦ରୁ ଅଧିକ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । କିନ୍ତୁ କରୋନାର ଗୋଟିଏ ବି ମାମଲା ଚିହ୍ନଟ ନହେବା ନୀତିରେ ଚାଲିଥିବା ଜିଙ୍ଗପିଙ୍କ ସରକାରଙ୍କ ପାଇଁ ଏବେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଚ୍ୟାଲେଞ୍ଜ ହୋଇପଡିଛି ।

ଚୀନରେ ବ୍ୟାପକ ଟିକାକରଣ ସତ୍ୱେ ଡେଲଟା ଭୁତାଣୁ ଯୋଗୁଁ ସଂକ୍ରମଣ ପୁଣି ବଢିବା ବିଶ୍ୱ ପାଇଁ ନୂଆ ବିପଦ ସଙ୍କେତ । ସେପଟେ ବେଜିଂରେ ଆଗକୁ ଶାସକ ଦଳର ସମାବେଶ ଓ ୱିଂଟର ଅଲମ୍ପିକ୍ସ ହେବାକୁ ଥିବାରୁ ମୁକାବିଲା ପ୍ରସ୍ତୁତିରେ ଲାଗିପଡିଛନ୍ତି ଜିଙ୍ଗପିଙ୍ଗ ସରକାର ।
-ବେଜିଂକୁ ସଂକ୍ରମିତ ଅଂଚଳରୁ ଆସୁଥିବା ଟ୍ରେନ୍ ଚଳାଚଳ ଉପରେ ରୋକ ଲଗାଯାଇଛି
-ବେଜିଂକୁ ବାହାରୁ ଲୋକେ ଆସିପାରିବେ ନାହିଁ
-ବାହାରେ ରହୁଥିବା ବେଜିଂ ବାସିନ୍ଦାଙ୍କୁ ଏବେ ଘରକୁ ନ ଫେରିବାକୁ ପରାମର୍ଶ ଦିଆଯାଇଛି
-ସଂକ୍ରମିତ ଚିହ୍ନଟ ହୋଇଥିବା ସ୍କୁଲରେ ତାଲା ପକାଇଛି ସ୍ଥାନୀୟ ପ୍ରଶାସନ ।

ସେପଟେ ରୁଷରେ ସଂକ୍ରମଣ ବଢୁଥିବାରୁ ନଭେମ୍ବର ୭ ତାରିଖ ଯାଏଁ ଲକଡାଉନ ଲଗାଇଛନ୍ତି ପୁଟିନ ସରକାର । ରୁଷରେ ନଭେମ୍ବର ୪ ତାରିଖରେ ୪୦ହଜାର ୨୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ହଜାର ୧୯୫ ଜଣଙ୍କ ଜୀବନ ନେଇଛି ମହାମାରୀ । ସ୍ଥିତିକୁ ଦେଖି ଲକଡାଉନ ଅବଧି ବଢିବ ବୋଲି ଅନୁମାନ କରାଯାଉଛି । ସେହିପରି ବ୍ରିଟେନରେ ନଭେମ୍ବର ୩ ତାରିଖରେ ୪୧ ହଜାର ୨୯୯ ନୂଆ ମାମଲା ସାମ୍ନାକୁ ଆସିଛି ଓ ୨୧୭ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ଶୀତ ଋତୁ ଆସୁଥିବାରୁ କରୋନା ସଂକ୍ରମଣ ଆହୁରି ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଆକଳନ କରାଯାଉଛି ।