କନକ ବ୍ୟୁରୋ: ଅଦରକାରୀ ସାମଗ୍ରୀରୁ ଆକର୍ଷଣୀୟ ଜିନିଷ । ସୃଜନତାର ରଙ୍ଗ ମାରି ଅଳିଆକୁ ବି ଅତି ଚମତ୍କାର ଭାବେ ସଜେଇ ପାରନ୍ତି ଜ୍ୟୋତିପ୍ରଭା । କଣ୍ଢେଇ, ଫୁଲଦାନୀ, ସାଇକେଲ, ଚକାଆଖି ଏମିତି ଅନେକ କିଛି ଆଙ୍କି ଏବେ ଚର୍ଚ୍ଚାରେ ଖୋର୍ଦ୍ଧା ବୋଲଗଡ ଗେଡିଆପଲ୍ଲୀ ଗାଁର କଲେଜ ଛାତ୍ରୀ ଜ୍ୟୋତିପ୍ରଭା । ଆଉ ତାଙ୍କୁ ଚିତ୍ରଶିଳ୍ପୀଟିଏ କରିଦେଇଛି ଲକଡାଉନର ଅବଧି ।

Advertisment

ଯୁକ୍ତ ୩ ପଢୁଥିବା ଯୁବତୀ ଜ୍ୟୋତିପ୍ରଭା କରୋନା ପାଇଁ କଲେଜ ବନ୍ଦ ଥିବାରୁ ଘରେ ରହିଥିଲେ । ଆଉ ଏତିକି ବେଳେ ସେ ଘରେ ପଡି ରହିଥିବା ଅଦରକାରୀ ସାମଗ୍ରୀକୁ ବିଭିନ୍ନ ରଙ୍ଗବେରଙ୍ଗରେ ସଜାଇ ନୂଆ ରୂପ ଦେଲେ । ଘରେ ପଡିରହୁଥିବା ସାମଗ୍ରୀ ପରିବେଶ ପ୍ରଦୂଷଣର କାରଣ ବନୁଥିବାରୁ ଏହାକୁ ସେ ଚିତ୍ରକଳାରେ ବଦଳାଇ ଦେଇଛନ୍ତି । ଯାହା ସମସ୍ତଙ୍କ ପସନ୍ଦର କେନ୍ଦ୍ରବିନ୍ଦୁ ପାଲଟିଛି ।

ତେବେ ପ୍ରଥମେ ପ୍ରଥମେ ଚିତ୍ର କରି ସାବାସୀ ସାଉଁଟିଥିବା ଜ୍ୟୋତି ପରେ ପରେ ୟୁଟ୍ୟୁବରୁ ଦେଖି ଅଦରକାରୀ ଜିନିଷରୁ ଚିତ୍ର କରିଥିଲେ । କାଚ ବୋତଲ, ଚା କପ, ବାଦାମ ଚୋପା, ଚାଉଳ. ତୁଳା, ପତ୍ର ଆଦିକୁ ବ୍ୟବହାର କରି ସେ ଅତି ସୁନ୍ଦର କଳାକୃତି କରୁଥିବା ବେଳେ ଚିତ୍ର ମାଧ୍ୟମରେ ପରିବେଶ ପ୍ରଦୂଷଣ ରୋକିବାକୁ ସମାଜକୁ ଦେଉଛନ୍ତି ସୁନ୍ଦର ବାର୍ତ୍ତା ।