ତେଲେଙ୍ଗାନା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି । ଆସନ୍ତା କାଲି ଠାରୁ  ୧୦ ଦିନ ଯାଏଁ ରାଜ୍ୟରେ ଲକଡାଉନ୍ ଘୋଷଣା

218

କନକ ବ୍ୟୁରୋ :ତେଲେଙ୍ଗାନାରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟରେ ଆସନ୍ତା କାଲି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି । ମଙ୍ଗଳବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ବୈଠକ ପରେ ଏହା ଘୋଷଣା କରାଯାଇଛି ।

ଘୋଷଣା ମୁତାବକ ଆସନ୍ତା କାଲି ସକାଳ ୬ ଟାରୁ ଏହି ଲକଡାଉନ୍ ଲାଗୁ କରାଯିବ । ଲକଡାଉନ୍ ସମୟରେ ପ୍ରତିଦିନ ସକାଳ ୧୦ ରୁ ରାତି ୧୦ ମଧ୍ୟରେ କେବଳ ଅତ୍ୟାବଶକୀୟ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି କୁହାଯାଇଛି । ଏହାସହ ସକାଳ ୬ ରୁ ସକାଳ ୧୦ ମଧ୍ୟରେ କିଛି ସେବାକୁ ଅନୁମତି ଦିଆଯାଇଛି । ଅନ୍ୟପଟେ  ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କିଣିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ରାଜ୍ୟରେ କରୋନା ସଂକ୍ରମଣ ଦୃତଗତିରେ ବଢୁଥିବାରୁ ଏହାକୁ ଦୃ୍ଷ୍ଟିରେ ରଖି ତେଲେଙ୍ଗାନା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୮୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨ ଲୋକ ପ୍ରାଣ ହରାଇଛନ୍ତି । ବର୍ତମାନ ରାଜ୍ୟରେ ୬୩ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି ।

ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୨୭୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହାସହ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ୮୬.୯୪ ପ୍ରତିଶତ ରହିଛି ।