ଅନଲକ-୧ରେ ଆଜିଠୁ ଆହୁରି କୋହଳ ହେବ କଟକଣା: ସାରା ଦେଶରେ ସର୍ତ୍ତ ସହିତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି; ହେଲେ ଓଡିଶାରେ ଜୁନ୍ ୩୦ ଯାଏଁ କଟକଣା

ମନ୍ଦିର ଖୋଲିବା ନେଇ କେନ୍ଦ୍ରର ପ୍ରେସ ରିଲିଜ୍ ପରେ ସ୍ପଷ୍ଟୀକରଣ ରଖିଲେ ରାଜ୍ୟ ସରକାର

3,568

କନକ ବ୍ୟୁରୋ: ଆଜି ରାଜ୍ୟରେ ଖୋଲିବ ନାହିଁ କୌଣସି ଧର୍ମାନୁଷ୍ଠାନ । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଏଏସଆଇ ଅଧୀନରେ ଥିବା ରାଜ୍ୟର ୪୬ଟି ପୀଠ ଖୋଲିବାକୁ କେନ୍ଦ୍ର ସରକାର ପ୍ରେସ୍ ରିଲିଜ୍ ଜାରି କରିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ହେଲେ ଜୁନ୍ ୩୦ ଯାଏଁ ରାଜ୍ୟରେ ମନ୍ଦିର ଖୋଲିବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଛି । ପୂର୍ବରୁ ଯେଉଁ କଟକଣା ରହିଥିଲା ଜୁନ୍ ୩୦ ମଧ୍ୟରାତ୍ରୀ ଯାଏଁ ତାହା ଜାରି ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସ୍ୱାକ୍ଷରରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନାର ସଂକ୍ରମଣକୁ ଦେଖି କଂଟେନମେଂଟ ଜୋନ ବାହାରେ ମଧ୍ୟ ରାଜ୍ୟଗୁଡିକ କଟକଣା ଜାରି କରିପାରିବେ ବୋଲି କେନ୍ଦ୍ରର ନିର୍ଦ୍ଦେଶ ରହିଛି । ଆଉ ସେହି ନିର୍ଦ୍ଦେଶ ବଳରେ ରାଜ୍ୟ ସରକାର କୌଣସି ଧର୍ମାନୁଷ୍ଠାନ ଖୋଲିବାକୁ ନଦେବା ପାଇଁ ନିଷ୍ପତି କରିଥିବା ସ୍ପଷ୍ଟ କରାଯାଇଛି । ରାଜ୍ୟରେ ଧର୍ମାନୁଷ୍ଠାନ ସମେତ ସପିଂ ମଲ ମଧ୍ୟ ଜୁନ୍ ୩୦ ତାରିଖ ଯାଏଁ ବନ୍ଦ ରହିବ । ରେଷ୍ଟ୍ରରାଂଟ ଗୁଡିକ କେବଳ ହୋମ ଡେଲିଭରି ଦେଇପାରିବେ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଭାରତୀୟ ପ୍ରତ୍ନ ତାତ୍ୱିକ ସର୍ବେକ୍ଷଣ ସଂସ୍ଥା- ଏଏସଆଇ ଅଧିନରେ ଥିବା ୮୨୦ଟି ଐତିହାସିକ କିର୍ତୀରାଜି ଆଜିଠାରୁ ଖୋଲିବ ବୋଲି ଘୋଷଣା କରାଯାଇଥିଲା । ଏସବୁ କିର୍ତୀରାଜି ଉପାସନା ପୀଠ ଭାବେ ମାନ୍ୟତା ପାଇଛି । ଏସବୁ ସ୍ଥାନରେ କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ନିୟମ ପାଳନ କରି ଆଜିଠାରୁ ଖୋଲିପାରିବ ବୋଲି ସୂଚନା ଦେଇଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ । ପିଆଇବି ଜାରି କରିଥିବା ପ୍ରେସ ରିଲିଜରେ ଓଡିଶାରେ ଥିବା ଏଏସଆଇ ଅଧିନ ୪୬ଟି କିର୍ତୀରାଜି ଖୋଲିବା ପାଇଁ ମଧ୍ୟ ଅନୁମତି ଦିଆଯାଇଥିଲା । ସେଗୁଡିକ ଭିତରେ ପୁରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଓ ଅନ୍ୟ ପ୍ରାଚୀନ ଶୈବପୀଠ, ଭୁବନେଶ୍ୱର ଉପକଣ୍ଠ ହୀରାପୁର ସ୍ଥିତ ୬୪ ଯୋଗିନୀ ପୀଠ, ଢ଼େଙ୍କାନାଳର କପିଳାସ ପୀଠ ଆଦି ଉପାସନା ସ୍ଥଳୀ ରହିଛି । ହେଲେ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଓଡିଶାରେ ଏହା ଲାଗୁହେବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।

ଆଜିଠାରୁ ଅନଲକ- ୧ ବା ଦେଶରେ ତାଲାଖୋଲା ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । କେତେକ ସର୍ତ ସହ ସମସ୍ତ ଧର୍ମାନୁଷ୍ଠା, ହୋଟେଲ, ରେଷ୍ଟୁରାଂଟ ଓ ସାଲୁନ ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ କରୋନା ସଂକ୍ରମଣକୁ ଦେଖି, ଓଡିଶା ପରି ଅନେକ ରାଜ୍ୟ ସରକାର ମଧ୍ୟ ଏବେ ଧର୍ମାନୁଷ୍ଠାନ ଖୋଲିବାକୁ ପ୍ରସ୍ତୁତ ନୁହଁନ୍ତି । ବର୍ତମାନ ବନ୍ଦ ରହିବ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ । ଯଦିଓ ୮ ଜୁନରୁ ମନ୍ଦିର ଦ୍ୱାର ଖୋଲିବା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି କରାଯାଉଥିଲା । କିନ୍ତୁ ଜାମ୍ମୁ-କାଶ୍ମୀର ପ୍ରଶାସନ ବର୍ତମାନ ସମସ୍ତ ଧର୍ମୀୟସ୍ଥଳୀ ବନ୍ଦ ରଖିବାକୁ ନିଷ୍ପତି କରିଛନ୍ତି । ସେହିପରି ହରିଆଣାର ପଂଚକୁଲା ମନ୍ଦିର ଆସନ୍ତାକାଲିଠାରୁ ଖୋଲିବ । ପ୍ରସ୍ତୁତି ଶେଷ ହୋଇନଥିବାରୁ ଗୋଟିଏ ଦିନ ବିଳମ୍ବରେ ଖୋଲିବାକୁ ନିଷ୍ପତି ହୋଇଛି ।

ଶ୍ରାଇନବୋର୍ଡର ୱେବସାଇଟରେ ଟିକେଟ କରିବା ପରେ ହିଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ମନ୍ଦିର ଦ୍ୱାର ସାକଳ ୬ଟାରୁ ରାତି ୮ଟା ୧୫ ଯାଏଁ ଖୋଲା ରହିବ । ସେହିପରି ଉତର ପ୍ରଦେଶ ମଥୁରା ପ୍ରଶାସନ ମଧ୍ୟ ଆଜିଠାରୁ ମନ୍ଦିର ଖୋଲିବା ପାଇଁ କୌଣସି ଚାପ ପକାଇବ ନାହିଁ ବୋଲି କହିଛି । ମଧ୍ୟପ୍ରଦେଶ ଭୋପାଲରେ ମଧ୍ୟ ୮ ଜୁନରୁ ମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି ଧର୍ମଗୁରୁ । ଆଗାମୀ ସପ୍ତାହରେ ଧର୍ମଗୁରୁଙ୍କ ସହ ଚର୍ଚ୍ଚା କରି ମନ୍ଦିର ଖୋଲିବା ନିଷ୍ପତି କରିବ ଭୋପାଲ ଜିଲ୍ଲା ପ୍ରଶାସନ । ଗୋଆରେ ମଧ୍ୟ ମନ୍ଦିର ଓ ଚର୍ଚ୍ଚ ନଖୋଲିବାକୁ ନିଷ୍ପତି ହୋଇଥିବା ଜଣାପଡିଛି । ଜାମ୍ମୁ-କାଶ୍ମୀରରେ ମନ୍ଦିର ଖୋଲିବ ନାହିଁ କିନ୍ତୁ କେନ୍ଦ୍ରର ଗାଇଡ ଲାଇନ ଅନୁସାରେ ସାଲୁନ ଓ ସ୍ପା ଖୋଲିବାକୁ ଅନୁମତି ଦିଆଯିବ । ଦିଲ୍ଲୀରେ ମନ୍ଦିର ବନ୍ଦ ରହିବ କିନ୍ତୁ ମଲ ଓ ରେଷ୍ଟୁରାଂଟ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ।