ଆଜିଠାରୁ ଲକଡାଉନ ୪ ଆରମ୍ଭ । ମେ ୩୧ ପର୍ଯ୍ୟନ୍ତ ରହିବ ବଳବତର, ଖୋଲିବ ସେଲୁନ୍, ସ୍ପା, ପାନ ଦୋକାନ । କଂଟେନମେଂଟ ଜୋନରେ ସବୁ ବନ୍ଦ୍ ।

1,344

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ଲକଡାଉନ ୪ ବା ତାଲାବନ୍ଦର ଚତୁର୍ଥ ପର୍ଯ୍ୟାୟ । ଏହା ମେ’ ୩୧ ପର୍ଯ୍ୟନ୍ତ ସାରା ଦେଶରେ ଜାରି ରହିବ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାର କରିଥିବାବେଳେ ଏହାକୁ ଆଖି ଆଗରେ ରଖି ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ପର୍ଯ୍ୟାୟରେ କରୋନା ମୁକାବିଲା ସହ ଅର୍ଥନୀତିକୁ ପୁଣି ଥରେ ଗତିଶୀଳ କରିବା ପାଇଁ ଅନେକ କିଛି କୋହଳ କରିଛନ୍ତି କେନ୍ଦ୍ର ସରକାର । ଆଉ କିଛି କ୍ଷେତ୍ରରେ ପୂର୍ବ ଭଳି କଟକଣା ଜାରି ରଖିବାକୁ ନିର୍ଦ୍ଦେଶାବଳୀରେ କହିଛନ୍ତି ।

ତେବେ ଏହି ପର୍ଯ୍ୟାୟରେ କେଉଁ ଅଂଚଳ କେଉଁ ଜୋନରେ ରହିବ ସେନେଇ ରାଜ୍ୟ ସରକାରମାନଙ୍କୁ ନିଷ୍ପତି ନେବାକୁ କ୍ଷମତା ଦିଆଯାଇଛି । ନିର୍ଦ୍ଦେଶାଳବଳୀ ଅନୁଯାୟୀ କୌଣସି ବି ଜୋନରେ ବେସାମରିକ ବିମାନ ଚଳାଚଳ, ମେଟ୍ରୋ ଟ୍ରେନ୍ ଚଳାଚଳ କରିିବ ନାହିଁ । ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟ, ମଲ୍, ସିନେମା ହଲ୍ ଓ ଜିମ୍ ଖୋଲିପାରିବେ ନାହିଁ । ଧାର୍ମିକ ସ୍ଥଳ ବା ଅନ୍ୟ କୌଣସି ସ୍ଥାନରେ ଭିଡ ଜମି ପାରିବ ନାହିଁ । ତେବେ ଗ୍ରୀନ, ଅରେଞ୍ଜ ଓ ରେଡ୍ ଜୋନ୍ରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚାଲିପାରିବ । ସେହିପରି ଏହି ତିନିଟି ଜୋନରେ ଆନ୍ତରାଜ୍ୟ ଯାତାୟତକୁ ଅନୁମତି ଦିଆଯାଇଛି । ଏବଂ ଜିଲ୍ଲା ଭିତରେ ଓ ଆନ୍ତଃ ଜିଲ୍ଲା ବସ୍ ଚାଲିବା ପାଇଁ ଅନୁମତି ଦିଆଯାଇଛି । ସେଲୁନ୍, ସ୍ପା, ମଦଦୋକାନ, ପାନ ଓ ସିଗାରେଟ ଦୋକାନ ଖୋଲିପାରିବ । ମେଡିକାଲ କ୍ଲିନିକ, ଓପିଡି ଖୋଲିବାକୁ ଅନୁମତି ଦିଆଯାଇଛି ।

କୃଷି ସମ୍ପର୍କିତ ସମସ୍ତ କାର୍ଯ୍ୟ ଚାଲିପାରିବ । ସହରାଂଚଳର ସମସ୍ତ କଳକାରଖାନା ଖୋଲିବାକୁ ଅନୁମତି ଦିଆଯାଇଛି । ବ୍ୟାଙ୍କ, ପୋଷ୍ଟ ଅଫିସ ଓ କୋରିୟର ସେବା ଜାରି ରହିବ । ଷ୍ଟାଡିୟମ, ସ୍ପୋର୍ଟସ କମ୍ପଲେକ୍ସ ଖୋଲିବାକୁ ଅନୁମତି ଦିଆଯାଇଛି । ତିନିଟି ଯାକ ଜୋନରେ ଅଟୋ ଓ ଟ୍ୟାକ୍ସି ଚଳାଚଳ କରିପାରିବ । କିନ୍ତୁ ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ନେଇ ଚଳାଚଳ କରିପାରିବ । ସେହିପରି ଚାରି ଚକିଆ ଗାଡି ଜଣେ ଡ୍ରାଇଭର ଓ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ । ଗ୍ରୀନ ଓ ଅରେଞ୍ଜ ଜୋନରେ ବାଇକରେ ୨ ଜଣ ଯାଇପାରିବେ ଓ ରେଡ୍ ଜୋନରେ ଜଣେ ଯାଇପାରିବେ । କିନ୍ତୁ କଂଟେନମେଂଟ ଜୋନରେ ପୂର୍ବଭଳି ସମସ୍ତ କଟକଣା ବଳବତର ରହିବ । ଏଥିସହ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ଜୋନରେ ଘରୁ ବାହାରିବାକୁ ମନା କରାଯାଇଛି । ଏବଂ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ,୧୦ ବର୍ଷରୁ କମ୍ ବୟସର ପିଲା ଓ ଗର୍ଭବତୀ ମହିଳା ସମ୍ପୂଣ୍ଣ ଭାବେ ଘରେ ରହିବାକୁ କୁହାଯାଇଛି । କିନ୍ତୁ ଓଡିଶାରେ କେଉଁ କଟକଣା ଲାଗୁ ହେବ ସେ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିବା ପରେ ସ୍ପଷ୍ଟ ହେବ ।