ଭୋକ ଯେବେ ଭଗବାନ ସାଜେ…ଭୋକିଲା ବୁଝିଲା ଭୋକିଲାର ପେଟ କଥା । ନିଜେ ପାଣି ପିଇ ଅନ୍ୟକୁ ଖାଦ୍ୟ ପୁଡିଆ ଦେଲେ, ବନ୍ୟା ବିପନ୍ନଙ୍କ ଜୀବନ ବଞ୍ଚାଇଲେ । ଦେଖନ୍ତୁ ଟ୍ରାକରେ ଗଡୁଥିବା ଭୋକ କେମିତି ସାଜିଲା ଭଗବାନ…

ଗୋଟିଏ ଟ୍ରାକରେ ଭୋକ ଗଡୁଛି, ଆଉ ଏକ ଟ୍ରାକରେ ଜୀବନ ପାଇଁ ଭୋକ ଭିକ ମାଗୁଛି । ଭୁତାଣୁର ଭୟ ଭିତରେ ଭୋକର ଏ ହୃଦୟଥରା ଚିତ୍ର ଥରେ ଭଲରେ ଦେଖନ୍ତୁ ଆପଣଙ୍କ ଦେହ ବି ଶିତେଇ ଉଠିବ ।

421

କନକ ବ୍ୟୁରୋ: ଭୋକ ଦେଲା ଭୋକିଲାଙ୍କୁ ଖାଦ୍ୟ । ଭୋକିଲା ବୁଝିଲା ଭୋକିଲାର ପେଟ କଥା । ନିଜ ପେଟର ଜ୍ୱାଳାକୁ ଯିଏ ବୁଝିଛି ସେହି ହିଁ ଜାଣିଛି ଅନ୍ୟର ପେଟରେ କେମିତି ଜଳୁଥିବ ଭୋକର ନିଆଁ । ସେଇଥିପାଇଁ ତ ନିଜେ ପାଣି ପିଇ ଅନ୍ୟର ପେଟକୁ ବଢାଇ ଦେଉଛନ୍ତି ଖାଦ୍ୟ ପୁଡିଆ । ଗୋଟିଏ ଟ୍ରାକରେ ଭୋକ ଗଡୁଛି, ଆଉ ଏକ ଟ୍ରାକରେ ଜୀବନ ପାଇଁ ଭୋକ ଭିକ ମାଗୁଛି । ଭୁତାଣୁର ଭୟ ଭିତରେ ଭୋକର ଏ ହୃଦୟଥରା ଚିତ୍ର ଥରେ ଭଲରେ ଦେଖନ୍ତୁ ଆପଣଙ୍କ ଦେହ ବି ଶିତେଇ ଉଠିବ ।

ତେବେ ବାଙ୍ଗାଲୁରରୁ ଏକ ସ୍ୱତନ୍ତ୍ର ଟ୍ରେନରେ ପ୍ରବାସୀ ଶ୍ରମିକ ମାନେ ମିଜୋରାମ ଫେରୁଥିଲେ । ଭୋକର ଭଉଁରୀରୁ ବଞ୍ଚିବା ପାଇଁ ଭୁତାଣୁର ଦଉଡି କାଟି ଭିଟାମାଟିକୁ ଫେରୁଥିଲେ ଶ୍ରମିକ । ତେବେ ଆସିବା ବାଟରେ ଆଖିରେ ପଡିଥିଲା ଆସାମ ବନ୍ୟାର ବିଭୀଷିକା । ପାଣି ପାଟିରେ ଘର ଦ୍ୱାର ବୁଡିଯିବା ପରେ ରେଳ ଧାରଣାରେ ଭୋକରେ ଆଉଟୁ ପାଉଟୁ ହେଉଥିଲେ ଲୋକେ । ତେବେ ଏତିକି ବେଳେ ଟ୍ରେନରେ ଫେରୁଥିବା ଶ୍ରମିକ ମାନେ ନିଜେ ଆଣିଥିବା ଖାଦ୍ୟ ଚଳନ୍ତା ଟ୍ରେନରୁ ସେମାନଙ୍କ ପାଖକୁ ଫିଙ୍ଗିଥିଲେ । ଆଉ ନିଜେ ନଖାଇ ଅନ୍ୟର ଜୀବନ ବଞ୍ଚାଇ ଥିଲେ ।

କଥାରେ ଅଛି ଦେଇଥିଲେ ପାଇ । ବନ୍ୟା ଆଁରେ ସର୍ବହରା ହୋଇଥିବା ସେ ଅସହାୟଙ୍କୁ ସିନା ସେମାନେ ନିଜ ପେଟରୁ କାଟି ଖୁଆଇଥିଲେ । ହେଲେ ଭଗବାନ ଭଲଲୋକଙ୍କୁ କେବେ ଭୋକିଲା ରଖନ୍ତିନି । ତେଣୁ ତ ସେମାନେ ଫେରିବା ବାଟରେ ବିହାର ବେଗୁସରାଇ ନିକଟରେ ଗାଁ ଲୋକ ସେମାନଙ୍କୁ ଖାଦ୍ୟ ଯୋଗାଇଥିଲେ । ଦେଖନ୍ତୁ ବନ୍ୟା ବିପନ୍ନଙ୍କୁ ଦାନ କରି ଆସିଥିବା ପ୍ରବାସୀ ଶ୍ରମିକଙ୍କୁ କେମିତି ଗାଁ ଲୋକେ ଖାଦ୍ୟ ପୁଡିଆ ଦେଉଛନ୍ତି । ତେବେ ସଙ୍କଟ ବେଳେ ସୋସିଆଲ ମିଡିଆରେ ସେଆର ସାଉଁଟୁଥିବା ଏ ସତ କାହାଣୀ ସତରେ କରୋନା ଯିବା ପରେ କାଳ କାଳ ପାଇଁ ମନେରହିବ ।