ସମ୍ପର୍କ ମଝିରେ ଲକଡାଉନ ଟାଣିଥିଲା ଲକ୍ଷ୍ମଣରେଖା । ସୋରରେ ଥିଲେ ସ୍ୱାମୀ, ସୁଦୂର ଗୁଜୁରାଟରେ ଥିଲେ ସ୍ତ୍ରୀ । ବୟସର ଅପରାହ୍ଣରେ ବି ବିଚ୍ଛେଦରେ ବିତୁଥିଲା ଦିନ । ବିରହର ବ୍ୟଥା ବୁଝିଲେ, ବସ୍ ପଠାଇ ବୟସ୍କ ପ୍ରେମୀଯୁଗଳଙ୍କୁ ଏକାଠି କଲେ ସବ୍ୟସାଚୀ । ପରିଣତ ବୟସରେ ପ୍ରେମର ସଂଜ୍ଞା ବୁଝାଇଦେଲେ ବାଲେଶ୍ୱରର ବୃଦ୍ଧ ଦମ୍ପତି...

Advertisment
ସମ୍ପର୍କ ମଝିରେ ଲକଡାଉନ ଟାଣିଥିଲା ଲକ୍ଷ୍ମଣରେଖା । ସୋରରେ ଥିଲେ ସ୍ୱାମୀ, ସୁଦୂର ଗୁଜୁରାଟରେ ଥିଲେ ସ୍ତ୍ରୀ । ବୟସର ଅପରାହ୍ଣରେ ବି ବିଚ୍ଛେଦରେ ବିତୁଥିଲା ଦିନ । ବିରହର ବ୍ୟଥା ବୁଝିଲେ, ବସ୍ ପଠାଇ ବୟସ୍କ ପ୍ରେମୀଯୁଗଳଙ୍କୁ ଏକାଠି କଲେ ସବ୍ୟସାଚୀ । ପରିଣତ ବୟସରେ ପ୍ରେମର ସଂଜ୍ଞା ବୁଝାଇଦେଲେ ବାଲେଶ୍ୱରର ବୃଦ୍ଧ ଦମ୍ପତି...

କନକ ବ୍ୟୁରୋ : ବୟସ ବଢିଲେ ମଣିଷ ବୁଢା ହୁଏନି... ମଣିଷ ସେତେବେଳେ ବୁଢା ହୁଏ ଯେତେବେଳେ ତା ମନରୁ ପ୍ରେମ ମରିଯାଏ, ହୃଦୟ ହାଣ୍ଡିରୁ ପ୍ରେମ ସରିଯାଏ...ପ୍ରେମ ମନସ୍କ ମଣିଷମାନଙ୍କ ପାଇଁ ବୟସ ଗୋଟେ ବାଉଁଶ ବାଡି, ବିଚ୍ଛେଦ ଗୋଟେ ଅପେକ୍ଷାର ଆସିବା ବାଟ । ଯେଉଁ ବାଟେ ଦିନେ ପ୍ରେମ ଠୁକ ଠୁକ କରି ଆସିବ ବାଡି ଧରି... ଆଉ ଯଦି ନଆସିବ ପ୍ରେମ ବିନା ବଞ୍ଚିବାକୁ ପଡିବ ଏକାଏକା...

ଆଖିରେ ଆଖିଏ ଅପେକ୍ଷା, ଛାତିରେ ଛାତିଏ ପ୍ରେମ...ପାଦରୁ ସରି ଆସିଲାଣି ଶକ୍ତି ହେଲେ ମନରୁ ମରୁନି ପ୍ରେମ । ଏ ପ୍ରେମ ପତ୍ନୀ ପାଇଁ, ଏ ଅପେକ୍ଷା ଜୀବନ ସାଥୀ ପାଇଁ । ମନର ମଣିଷ ପାଖରେ ନଥିବାରୁ ତାକୁ ଖୋଜି ଖୋଜି ଘରୁ ବାହାର, ବାହାରୁ ଘରୁ ହୁଏ ଏ ଶକ୍ତିହୀନ ପାଦ । ଆମେ ଆପଣଙ୍କୁ ତାଲାବନ୍ଦ ବେଳର ଏମିତି ଏକ ପ୍ରେମ କାହାଣୀ ଦେଖାଇବୁ ଯାହା ଆପଣଙ୍କୁ ଅପେକ୍ଷାର ସଜ୍ଞା ବୁଝାଇଦେବ ...

ଜଗବନ୍ଧୁ ସାହୁ । ସୋର ତୁଡିଗଡିଆ ବେଲଦା ଅଞ୍ଚଳର ୮୨ ବର୍ଷର ବୃଦ୍ଧ । ଲକଡାଉନ ପାଇଁ ତାଙ୍କ ପତ୍ନୀ ଗୌରୀ ସୁଦୂର ଗୁଜୁରାଟରେ ଫସି ରହିଥିଲେ । ବଡ ପୁଅ ପାଖକୁ ଯାଇ ଆଉ ଫେରି ପାରନଥିଲେ । ବାରମ୍ବାର ଚେଷ୍ଟା ସତ୍ୱେ ବି ଫେରିବା ମୁସ୍କିଲ ହୋଇ ପଡୁଥିଲା । ଦୀର୍ଘ ୫ ମାସ ହେବ ପତ୍ନୀଙ୍କଠୁ ଦୂରରେ ରହି ମାନସିକ ସନ୍ତୁଳନ ହରାଇବାକୁ ବସିଥିଲେ ଜଗବନ୍ଧୁ । ସେପଟେ ଗୌରୀ ବି ସଙ୍ଖା ସିନ୍ଦୂର ପାଖକୁ ଫେରିବାକୁ ଅନେଇ ବସିଥିଲେ । ସମୟ ଗଡୁଥିଲା ସତ ହେଲେ ସମ୍ଭବ ହେଉନଥିଲା ସ୍ୱାମୀଙ୍କ ପାଖକୁ ଫେରିବା । ଆଉ ଏ ଜନ୍ମରେ ଦୁହେଁ ଦୁହିଁଙ୍କୁ ଦେଖିବାର ଆଶା ବି ଛାଡି ଦେଇଥିଲେ ।

publive-imageହେଲେ ବୟସର ଅପରାହ୍ଣରେ ଦୁଇ ପ୍ରେମୀଯୁଗଳଙ୍କ ଏ ବିଚ୍ଛେଦର ବ୍ୟଥା ପାଗଳପ୍ରେମୀଙ୍କୁ ବ୍ୟଥିତ କରିଥିଲା । ଆଉ ଶାସ୍ୱତ ପ୍ରେମର ପୂଜାରୀ ସାଜିଥିବା ଦୁଇ ବୃଦ୍ଧବୃଦ୍ଧାଙ୍କୁ ଏକାଠି କରିବାକୁ ଆଗେଇ ଆସିଲେ ଅଭିନେତା ସବ୍ୟସାଚୀ । ସୁଦୂର ଗୁଜୁରାଟକୁ ବସ ପଠାଇ ୭୬ ବର୍ଷୀୟା ଗୌରୀଙ୍କୁ ଗାଁକୁ ଫେରାଇ ଆଣିଲେ । ତାଙ୍କ ସ୍ୱାମୀଙ୍କ ପାଖକୁ ନେଇ ଆସିଲେ । ଆଉ ଇଏ ହେଉଛି ଲକଡାଉନର ଲମ୍ବା ବିଚ୍ଛେଦ ପରେ ମିଳନର ମହାପର୍ବ । ହୃଦୟର ଲୋକ ଦୂରରୁ ଫେରିବା ପରେ ହାତ ଛନ୍ଦାଛନ୍ଦି ହୋଇ ଚାଲିବାର ମୁହୂର୍ତ୍ତ । ମନର ମଣିଷକୁ ଆଖି ସାମ୍ନାରେ ପାଇବା ପରେ ଦାଣ୍ଡ ପିଣ୍ଡାରେ ବସିଛି ମନଖୋଲା ହସର ହାଟ । ବୁଢୀ ମାଉସୀ ପାନ ଭାଙ୍ଗି ଦେଉଛନ୍ତି ଆଉ ମଉସା ସରାଗରେ ନେଇ ଖାଇ ଦେଉଛନ୍ତି । କାରଣ ମଉସା ଜାଣିଛନ୍ତି ଏ ପାନ ନୁହେଁ ମାଉସୀର ନିରୁତା ପ୍ରେମ ।

ତେବେ ବିରହର ବାଡ ଭାଙ୍ଗି ଦୁହିଁଙ୍କୁ ପାଖାପାଖି କରିବା ପରେ ଗୌରୀ-ଜଗବନ୍ଧୁଙ୍କ ମୁହଁରେ ହସ ଫେରାଇ ଆଣିଥିଲେ ସ୍ମାଇଲ ପ୍ଲିଜ ହିରୋ । ଆଉ ଭିଡିଓ କଲ କରି ସେମାନଙ୍କ ସହ କଥା ହୋଇ ନିଆର ପ୍ରେମ କାହାଣୀକୁ ନେଇ ତୋର ମୋର ଯୋଡି ସୁନ୍ଦର ସିନେମା କରିବେ ବୋଲି କହିଛନ୍ତି ସବ୍ୟସାଚୀ ।

ତେବେ ବୟସର ପଶ୍ଚିମତୀରରେ ନିଡଟେ ରଚିଥିବା ପ୍ରେମପକ୍ଷୀଙ୍କ ଏ ନିସ୍କପଟ ହସ ହିଁ ବଖାଣୁଛି କି, ଯଦି ପ୍ରେମ ସତ ହୋଇଥିବ, ପ୍ରେମରେ ସ୍ୱଚ୍ଛତା ଥିବ । ତାହାଲେ ଜୀବନ ସାଥୀ ଯେତେ ଦୂରେ ଥାଉନା କାହିଁକି ବୟସର ଆରମ୍ଭରେ ହେଉ ବା ଅପରାହ୍ନରେ ପ୍ରେମ ତୁମ ପାଖକୁ ନିଶ୍ଚୟ ଫେରି ଆସିବ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe