ଆଜିଠୁ କଡାକଡି ହେବ ଲକଡାଉନ କଟକଣା: ୧୪ ଜିଲ୍ଲାରେ ତାଲା ବନ୍ଦ୍; ଆଇନ ଉଲଘଂନକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

1,869

କନକ ବ୍ୟୁରୋ: ଆଜିଠୁ କଡାକଡି ହେବ ଲକ୍ ଡାଉନ୍ କଟକଣା । କରୋନା ଯେପରି ମହାମାରୀର ରୂପ ନେବ ନାହିଁ, ଏଥିପାଇଁ ଆଜିଠାରୁ ଲକଡାଉନକୁ କଡାକଡି କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆଇନ ଉଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜିଠାରୁ ଅଧାରୁ ଅଧିକ ଓଡ଼ିଶାକୁ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରାଯାଇଛି । ପୂର୍ବରୁ ୫ ଜିଲ୍ଲା ଓ ୮ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଆଜିଠାରୁ ୯ଟି ଜିଲ୍ଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ାକୁ ତାଲା ବନ୍ଦ କରାଯାଇଛି । ପୂର୍ବରୁ ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲାକୁ ତାଲା ବନ୍ଦ ଘୋଷଣା କରାଯାଇଥିଲା ।

ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ୮ଟି ସହରକୁ ତାଲାବନ୍ଦ ଘୋଷଣା କରାଯାଇଥିଲା । କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସବୁକିଛି ବନ୍ଦ କରି ଦେଇଛନ୍ତି ସରକାର । ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି । କେବଳ ସେତିକି ନୁହେଁ ଆଜି ୧୧ଟା ପରଠାରୁ ସମସ୍ତ ବସ୍ ସେବାକୁ ବାତିଲ କରି ଦେଇଛନ୍ତି ସରକାର । ସିଟି ବସ୍ ଗୁଡିକୁ ଗତ ମଧ୍ୟ-ରାତ୍ରିରୁ ବନ୍ଦ କରି ଦିଆଯାଇଛି । ଏପରକି ଆବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ତେବେ ଲକ ଡାଉନକୁ ଗୁରୁତର ସହ ନନେଇ ବାହାରେ ବୁଲା ବୁଲି କରୁଛନ୍ତି କି? ଜରୁରୀ କାମ ନଥାଇ ବି ବଜାରକୁ ଆସୁଛନ୍ତି କି? ତେବେ ସାବଧାନ, ପୁଲିସ ହାତରେ ଧରା ପଡିଲେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର । କାରଣ ଏଥିପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସେହିପରି କରୋନାକୁ ଦୃଷ୍ଟିରେ ରଖି ଓଡିଶାରେ ୧୪ଟି ଜିଲ୍ଲାରେ ତାଲା ବନ୍ଦ ନିଷ୍ପତି ହୋଇଥିବା ବେଳେ ଟୁଇନସିଟି କଟକ ଓ ଭୁବନେଶ୍ୱରରେ କରୋନା କଟାକଣାକୁ ଜୋରଦାର କରାଯାଇଛି । ତାଲା ବନ୍ଦକୁ ଦୃଷ୍ଟିରେ ରଖି ସହର ଭିତରେ ଗାଡି ଚଳାଚଳ ଉପରେ ସମ୍ପୁର୍ଣ୍ଣ କଟକଣା ଲଗାଯାଇଛି । ତେବେ ଜରୁରୀ କାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଗାଡି ଚଳାଚଳ ପାଇଁ ପାସ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଆଜି ସୁଦ୍ଧା ସେମାନଙ୍କୁ ପାସ ଦିଆଯିବ । କାଲିଠାରୁ ଏହାକୁ କଡାକଡି ଭାବେ ପାଳନ କରାଯିବ ।