କରୋନା ମାଡରେ କାନ୍ଦୁଛି ଚାଷୀ । ତାଲାବନ୍ଦ ପାଇଁ ତଳି ତଳାନ୍ତ ଚାଷୀ । ବିଲରେ ପରିବା ପଚୁଛି, ବାଧ୍ୟହୋଇ ଚାଷୀ କମ ଦାମରେ ବିକୁଛି । କେମିତି ସୁଝିବ ଋଣ ଚାଷୀ ମୁଣ୍ଡରେ ଚିନ୍ତା ଘାରିଛି…

171

କନକ ବ୍ୟୁରୋ: ପଚିଗଲାଣି ବାଇଗଣ । ବିକ୍ରି ହୋଇପାରୁନି ପୋଟଳ । ପରିବା ଚାଷୀଙ୍କ ଉପରେ କରୋନା ମାଡ । ହଜାର ହଜାର ଟଙ୍କା ଋଣ କରି ପରିବା ଚାଷ କରିଥିଲା ଚାଷୀ । ହେଲେ ପରିବା ବିକ୍ରି ନହୋଇ ଜମିରେ ପଚିବାରେ ଲାଗିଛି । କେମିତି ଋଣ ସୁଝିବେ ଏବେ ସେହିଚିନ୍ତାରେ ପୋଲସରାର ଚାଷୀ ।

ଗଛରେ ପାଚିଗଲାଣି ବାଇଗଣ । ପୋଟଳ ଅବସ୍ଥା ମଧ୍ୟ ଉଣାଅଧିକେ ସେୟା । ଯାହା ପରିବା ଅମଳ କରିଥିଲା ଚାଷୀ ତାହା ବିକ୍ରି ହୋଇପାରୁନି । କରୋନା ଏମିତି ମାଡ ମାରିଛି ଯେ ଚାଷୀର ନିଦ ହଜିଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରାରେ ଏକର ଏକର ଜମିରେ ପରିବା ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି । କାରଣ ବଜାରରେ ପରିବା ବିକ୍ରି ହୋଇପାରୁନି । ଯଦି ବିକ୍ରି ହେଉଛି କିଲୋ ୨ଟଙ୍କା ଦରରେ ।

ଚାଷୀ ଉପରେ କରୋନା ମାଡ଼ । କେମିତି ଋଣ ସୁଝିବ ଚାଷୀ? ଏକର ଏକର ଜମିରେ ୨୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ କରି ପରିବା ଚାଷ କରିଥିଲା ଚାଷୀ । ଆଶା କରିଥିଲା ଭଲ ଦି ପଇସା ରୋଜଗାର ହେବ ବୋଲି । କିନ୍ତୁ କରୋନା ପ୍ରଭାବରେ ଚାଷୀର ଅଂଟା ଭାଙ୍ଗି ଯାଇଛି । ପରିବା ପୋଚା ହେବା ଏବଂ ବିକ୍ରି ନହେବା କାରଣରୁ ଏବେ କେମିତି ଋଣ ସୁଝିବ ଚାଷୀ ସେହି ଚିନ୍ତା ଘାରିଛି ।

ଚାଷ ଉଜୁଡିଯିବା ପରେ ଏବେ ପରିବା ଚାଷୀ ଅପେକ୍ଷା କରିଛନ୍ତି ସରକାରୀ ସହାୟତାକୁ । ସହାୟତା ନମିଳିଲେ ଆଗକୁ ପରିବାର ଚଳିବ କଷ୍ଟକର ହୋଇପଡିବ ବୋଲି କହିଛନ୍ତି ଚାଷୀ ।