ଲକଡାଉନର ମିଳୁଛି ଫାଇଦା: କେନ୍ଦ୍ର ସରକାର କହିଲେ, ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ଭାରତରେ ଲକଡାଉନ୍ ହୋଇନଥିଲେ ୯ଗୁଣା ବଢିଯାଇଥାନ୍ତା ସଂକ୍ରମିତଙ୍କ ସଂଖ୍ୟା ।

598

କନକ ବ୍ୟୁରୋ: ଭାରତରେ କରୋନା ମହାମାରୀର ରୂପ ନେବା ପୂର୍ବରୁ ଲାଗୁ ହୋଇଥିଲା ଲକଡାଉନ୍ । ଏବେ ମାସେ ବିତିଯାଇଛି । ଦେଶବାସୀ ତାଲାବନ୍ଦରେ ଘରେ ଅଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଯଥେଷ୍ଟ ପୂର୍ବରୁ ଲକଡାଉନ୍ ଭଳି ନିଷ୍ପତି ନିଆଯାଇଥିବାରୁ ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଯଦି ଭାରତରେ ଲକଡାଉନ୍ ଲାଗୁ ହୋଇନଥାନ୍ତା ତେବେ ବର୍ତମାନ ପରିସ୍ଥିତି ସଂଗୀନ ହୋଇଥାନ୍ତା । ୯ଗୁଣା ବଢିଯାଇଥାନ୍ତା ସଂକ୍ରମିତଙ୍କ ସଂଖ୍ୟା । ଏବଂ ବର୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଥାନ୍ତା ।

ମାସେ ହେଲା ଭାରତ ତାଲାବନ୍ଦରେ, ଆଉ ଏହି ମାସକ ଭିତରେ ଦେଶରେ ପାଖାପାଖି ୩ ଗୁଣା କମିଛି କରୋନା ଭୂତାଣୁର ସଂକ୍ରମଣ ହାର । କରୋନା ସଂକ୍ରମଣ ମାମଲା ବୃଦ୍ଧି ହେବା ପୂର୍ବରୁ ଭାରତ ଯଦି ଲକଡାଉନ୍ ଭଳି ଐତିହାସିକ ନିଷ୍ପତି ନନେଇଥାନ୍ତା ତେବେ ପରିସ୍ଥିତି ସାଂଘାତିକ ହୋଇଥାନ୍ତା । ବର୍ତମାନ ଭାରତରେ ଯେତିକି ଆକ୍ରାନ୍ତ ହୋଇଛନ୍ତି ତାର ୯ଗୁଣା ବଢିଯାଇଥାନ୍ତା ସଂକ୍ରମିତଙ୍କ ସଂଖ୍ୟା ।

କରୋନା ଭୂତାଣୁର ସଂକ୍ରମଣ ରୋକିବାକୁ ଲକଡାଉନ୍ରେ ଅଛି ସାରା ଦେଶ । ୪୦ ଦିନର ତାଲାବନ୍ଦରେ ଅଛନ୍ତି ପାଖାପାଖି ୧୩୦ କୋଟି ଦେଶବାସୀ । ଆଉ ଏହାରି ଭିତରେ ଲକଡାଉନକୁ ମାସେ ପୁରିଯାଇଛି । ଆସନ୍ତା ମେ ୩ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । ଆଉ ଭାରତକୁ ମିଳିଛି ଲକଡାଉନ୍ର ବଡ ଫାଇଦା ।

ମାର୍ଚ୍ଚ ୨୪ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫ଶହ ଥିଲା । ସେହି ସମୟରେ ଭୂତାଣୁର ଡେଲି ଗ୍ରୋଥ ରେଟ୍ ଅର୍ଥାତ୍ ପ୍ରତିଦିନର ସଂକ୍ରମଣ ହାର ୨୧.୬ ପ୍ରତିଶତ ଥିଲା । ଏପ୍ରିଲ ୨୫, ସକାଳ ୮ଟା ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢେ ୨୪ ହଜାର । ଏବଂ ଦେଶରେ କରୋନା ସଂକ୍ରମଣ ହାର ୮.୧ ପ୍ରତିଶତ । ଅର୍ଥାତ୍ କରୋନା ସଂକ୍ରମଣ ହାର ପାଖାପାଖି ଏକ ତୃତୀୟାଂଶ ହ୍ରାସ ପାଇଛି । ଯଦି ଲକଡାଉନ୍ ଘୋଷଣା ହୋଇନଥାନ୍ତା ଏବଂ ବର୍ତମାନ ୨୪ ମାର୍ଚ୍ଚ ଭଳି ସଂକ୍ରମଣ ହାର ରହିଥାନ୍ତା ତେବେ ୨୩ ଏପ୍ରିଲ ଭିତରେ ହିଁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୨ ହଜାର ୪୨୭ ହୋଇଯାଇଥାନ୍ତା । ଯାହା ବର୍ତମାନର ସଂକ୍ରମିତଙ୍କ ସଂଖ୍ୟାର ୯ ଗୁଣ ଅଧିକା ।

ବର୍ତମାନ ଭାରତରେ କରୋନା ସଂକ୍ରମଣ ହାର ୮.୧ ପ୍ରତିଶତ ଥିବା ବେଳେ ଯଦି ଏହି ହାର ଜାରି ରହେ ତେବେ ୧ ସପ୍ତାହରେ ୪୦ ହଜାର ଏବଂ ୧୫ ଦିନରେ ୭୦ ହଜାର ଆକ୍ରାନ୍ତ ହେବେ । ସେହିପରି ମେ ମାସ ଶେଷ ସୁଦ୍ଧା ଦେଶରେ ଅଢେଇ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେବା ସମ୍ଭାବନା ରହିଛି । ଲକଡାଉନ୍ ଲାଗୁ ହେବା ପରେ ଏଯାଏ ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଏପରିକି ସଂକ୍ରମଣ ସଂଖ୍ୟା ଦୁଇଗୁଣା ହେବାକୁ ବର୍ତମାନ ୧୦ ଦିନ ଲାଗୁଛି । ଦେଶରେ ଗତ ୧୪ ଦିନ ହେଲା ୮୦ଟି ଜିଲ୍ଲାରେ ଆଉ ନୂଆ କରୋନା ମାମଲା ସାମ୍ନାକୁ ଆସିନାହିଁ ବୋଲି ସରକାର କହିଛନ୍ତି ।