ଲକଡାଉନ ଭିତରେ ବାହାଘର ପାଇଁ ୫୦ ଅତିଥିଙ୍କୁ ଅନୁମତି । ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି । ନୂଆ ଲକଡାଉନରେ ଆସିଲା ନୂଆ ଗାଇଡଲାଇନ

1,067

କନକ ବ୍ୟୁରୋ: ବାହାଘର ପାଇଁ ୫୦ ଅତିଥିଙ୍କୁ ମିଳିବ ଅନୁମତି । ଲକଡାଉନ ଭିତରେ ବାହାଘର କରୁଥିଲେ ସର୍ବାଧିକ ୫୦ ଜଣ ଅତିଥିଙ୍କ ପାଇଁ ଅନୁମତି ମିଳିବ । ୫୦ରୁ ଅଧିକ ଅତିଥି ଥିଲେ ବାହାଘର ପାଇଁ ଅନୁମତି ମିଳିବ । ତେବେ ବାହାଘର ବେଳେ ସାମାଜିକ ଦୂରତା ରଖି ସବୁ କାମ କରିବାକୁ ନୂଆ ଲକଡାଉନର ଗାଇଡଲାଇନରେ ସୂଚାଇ ଦିଆଯାଇଛି ।

ସେପଟେ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ବି ଅନୁମତି ମିଳିବ । ତାଲାବନ୍ଦ ସମୟରେ ଯଦି କାହାର ମୃତ୍ୟୁ ହୁଏ ତେବେ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି ମିଳିବ । ତେବେ ମେ ୩୧ ଯାଏଁ ଦେଶରେ ତାଲାବନ୍ଦ ଅବଧି ବଢାଇବା ପରେ ନୂଆ ଗାଇଡଲାଇନ ଦେଇଛନ୍ତି ସରକାର ।

ତେବେ ଲକଡାଉନ ବେଳେ ହୋଟେଲ , ରେସ୍ତୋରାଁ, ସ୍କୁଲ, କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ, ସପିଂ ମଲ୍, ଜିମ୍, ସୁଇମିଂ ପୁଲ, ପାର୍କ, ବାର୍ ବନ୍ଦ ରହିବ । ଅର୍ନ୍ତଜାତୀୟ ଓ ଘରୋଇ ବିମାନ ସେବା ବନ୍ଦ ରହିବ । ଧର୍ମୀୟ ସମାବେଶ ଉପରେ କଟକଣା । ଧର୍ମାନୁଷ୍ଠାନରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟ ରାଜ୍ୟ ଭିତରେ ବୁଝାମଣା ଭିତ୍ତିରେ ଚାଲିପାରିବ ବସ୍ । ରାଜ୍ୟ ଭିତରେ ବସ୍ ଚାଲିବା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

ସେହିପରି ରାତିରେ ରହିବ କର୍ଫ୍ୟୁ । ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଲାଗି ରହିବ । ଆଉ ଏହି ସମୟ ଭିତରେ ସାଧାରଣ ଲୋକଙ୍କ ଘରୁ ବାହାରିବା ଉପରେ କଟକଣା । ଜରୁରୀ ସେବାରେ ଯାଇହେବ ଷ ସେପଟେ ଘରେ ରହିବେ ବୟସ୍କ ବ୍ୟକ୍ତି । ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ । ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ଶିଶୁ ଘରେ ରହିବା ଜରୁରୀ । ଆବଶ୍ୟକ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ।

ତେବେ ମୁହଁରେ ରହିବ ମାସ୍କ । ସର୍ବସାଧାରଣ ସ୍ଥାନରେ ଏବଂ କାର୍ଯ୍ୟସ୍ଥଳୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସର୍ବସାଧାରଣ ସ୍ଥାନରେ ଛେପ, କିମ୍ବା ପାନ ଛେପ ପକାଇଲେ ପଡିବ ଫାଇନ ବୋଲି ନୂଆ ଗାଇଡ ଲାଇନରେ ସ୍ପଷ୍ଟ କରାଯାଇଛି ।