ସୁନ୍ଦରଗଡରେ ଜନତା ବନାମ କମ୍ପାନୀ । ଚୂନପଥର ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣିକୁ ପ୍ରବଳ ବିରୋଧ । ଜଳ, ଜମି ଓ ଜଙ୍ଗଲରୁ ଇଞ୍ଚେ ଜାଗା ଦେବେ ନାହିଁ ବୋଲି ଗ୍ରାମବାସୀଙ୍କ ଜିଦ୍ ।

411

କନକ ବ୍ୟୁରୋ : ସୁନ୍ଦରଗଡରେ ପୁଣି ଥରେ ତେଜୁଛି ପେଶା ଆନ୍ଦୋଳନ । ଚୂନ ପଥର ଖଣି ଅଧିଗ୍ରହଣ ପାଇଁ କରାଯାଉଥିବା ଜନ ଶୁଣାଣିକୁ ଜୋରଦାର ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ । ଜୀବନ ଯିବ ପଛେ ଜମି ଦେବୁ ନାହିଁ ବୋଲି ଜିଦ୍ ଧରିଛନ୍ତି । ଫଳରେ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହେବା ସହ ଉତ୍ତେଜନା ଲାଗି ରହିଛି । ବିରୋଧ ଯୋଗୁଁ ଅଡୁଆରେ ପଡିଛନ୍ତି ଜେଏସଡବ୍ଲ୍ୟୁ ଓ ଓସିଏଲ କମ୍ପାନୀ ।

ସୁନ୍ଦରଗଡରେ ବିଭିନ୍ନ କମ୍ପାନୀକୁ ଦିଆଯାଇଥିବା ଚୂନ ପଥର ଖଣିକୁ ନେଇ ପୁଣି ଥରେ ଆନ୍ଦୋଳନ ତେଜିଛି । ସୁନ୍ଦରଗଡ ରାଜଗାଙ୍ଗପୁର ଓସିଏଲର ଲାଂଜିବେର୍ଣ୍ଣା ଚୂନପଥର ଖଣି ସମ୍ପ୍ରସାରଣ ପାଇଁ ସୋମବାରଠାରୁ ଚାଲିଥିବା ଜନଶୁଣାଣୀ କାର୍ଯ୍ୟକ୍ରମକୁ ବିରୋଧ କରାଯାଇଥିବାବେଳେ କୁତ୍ରାର ତେଲିଘଣାରେ ଜିନ୍ଦଲ କମ୍ପାନୀକୁ ଦିଆଯାଇଥିବା ଖତକୁର ବାହାଲ ଚୂନ ପଥର ଖଣି ପାଇଁ ଜନଶୁଣାଣିକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ପବ୍ଲିକ୍ ବନାମ କମ୍ପାନୀ । ସୁନ୍ଦରଗଡରେ ତେଜୁଛି ପେଶା ଆନ୍ଦୋଳନ । ଜିନ୍ଦଲ କମ୍ପାନୀର ଚୂନ ପଥର ଖଣି ପାଇଁ ଜମି ଅଧିଗ୍ରହଣକୁ ଜୋରଦାର ବିରୋଧ ହେଉଛିି । ପରିବେଶ ସମ୍ପର୍କିତ ଜନଶୁଣାଣି ବେଳେ ପ୍ରତିବାଦକୁ ଓହ୍ଲାଇଛନ୍ତି ବହୁ ସଂଖ୍ୟାରେ ସ୍ଥାନୀୟ ଆଦିବାସୀ । ଗୁରୁବାର ହେବାକୁ ଥିବା ଜନଶୁଣାଣିକୁ ମଧ୍ୟ ଏଭଳି ବିରୋଧ କରାଯିବ ବୋଲି ସୂଚନା ମିଳିଛି । ସୁନ୍ଦରଗଡ଼ କୁତ୍ରା ତେଲିଘଣାରେ ଜିନ୍ଦଲ କମ୍ପାନୀର ସିମେଂଟ କାରଖାନା ପାଇଁ ଖତକୁର ବାହାଲରେ ଥିବା ଚୂନ ପଥର ଖଣି ବାବଦକୁ ୧୫୬ ହେକ୍ଟର ଜମି ଅଧିଗ୍ରହଣ ପାଇଁ ପରିବେଶ ସମ୍ପର୍କିତ ଜନଶୁଣାଣି ଚାଲିଛି । କିନ୍ତୁ ପ୍ରଥମ ଦିନରୁ ହିଁ ଏହି ଜନଶୁଣାଣିକୁ ବିରୋଧ କରି ଆସୁଛନ୍ତି ଆଦିବାସୀ ।

ରାଜଗାଙ୍ଗପୁର ଓସିଏଲର ଲାଂଜିବେର୍ଣ୍ଣା ଚୂନପଥର ଖଣି ସମ୍ପ୍ରସାରଣ ପାଇଁ ସୋମବାରଠାରୁ ଚାଲିଥିବା ଜନଶୁଣାଣିକୁ ମଧ୍ୟ ତୀବ୍ର ବିରୋଧ କରାଯାଉଛି । ଜନଶୁଣାଣି ପାଇଁ ଯାଇଥିବା ପ୍ରଶାସନକୁ ରାସ୍ତାରେ ବାଟ ଓଗାଳି ବିରୋଧ କରିଛନ୍ତି ଲୋକେ । ଫଳରେ କିଛି ସମୟ ପାଇଁ ପୋଲିସ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଚୂନପଥର ଖଣି ସମ୍ପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ୭୧୭ଏକର ୧୦ଡେସିମିଲ ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ଦିନ ହେଲା ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଏହାକୁ ଜୋରଦାର ବିରୋଧ କରୁଛନ୍ତି ଗ୍ରାମବାସୀ ।
୨ ବର୍ଷ ପୂର୍ବେ ନିଜ ଗାଁରେ ନିଜ ଶାସନର ଦାବି ନେଇ କୁତ୍ରାରେ ପେଶା ଆନ୍ଦୋଳନ ମୁଣ୍ଡ ଟେକିଥିଲା । ନିଜ ଗାଁରେ ନିଜେ ଶାସନ କରିବେ ବୋଲି ଆଦିବାସୀମାନେ ଗାଁ ଭିତରକୁ ପ୍ରଶାସନର ପ୍ରବେଶ ବାରଣ କରିଥିଲେ । ହେଲେ କିଛି ଦିନ ହେବ ଏହି ଆନ୍ଦୋଳନ ଥମି ଯାଇଥିଲା । ଏବେ ଏହି ଆନ୍ଦୋଳନ ପୁଣି ମୁଣ୍ଡ ଟେକିଛି ।