କଳାହାଣ୍ଡିରେ ପ୍ରତିବାଦକୁ ପ୍ରଭାବହୀନ କରିବାକୁ ବିଜେଡିର ମିଶ୍ରଣ ପର୍ବ । ମହାଲିଙ୍ଗରେ ବିଜେପିର ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ । 

122

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ ପୂର୍ବରୁ ଜୁନାଗଡରେ ମିଶ୍ରଣ ପର୍ବର ଆୟୋଜନ କରି ବିରୋଧୀଙ୍କୁ ଏକ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ନିର୍ବାଚନ ମଣ୍ଡଳି ଜୁନାଗଡରେ ଏବେ ବି କିଭଳି ତାଙ୍କର ଲୋକପ୍ରିୟତା ରହିଛି ତାହା ପ୍ରମାଣ କରିବାକୁ ପ୍ରୟାସ କରିଛନ୍ତି ମନ୍ତ୍ରୀ । ଏଥିସହ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଜନସଭାରେ ଗୋଟିଏ ମଂଚରେ ବସି ଦଳରେ ସେ କିଭଳି ନିଜର ପତିଆରା ବଜାୟ ରଖିଛନ୍ତି ତାହା ବି ଦେଖାଇଛନ୍ତି । ତେବେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ତାଙ୍କ ବିରୋଧରେ ବିରୋଧୀ ମିଛ କହୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି ମନ୍ତ୍ରୀ ।

ଅନ୍ୟପଟେ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିଜେପି ଆନ୍ଦୋଳନ ଜାରି ରଖିଥିବାବେଳେ, ମହାଲିଙ୍ଗରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ବିରୋଧ କରାଯାଇଛି । ବିଜେପିର ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବସନ୍ତ ପଣ୍ଡାଙ୍କୁ ବିରୋଧ କରିଛନ୍ତି ମହାଲିଙ୍ଗ ଅଂଚଳର କିଛି ଲୋକ । ମମିତାଙ୍କୁ ନ୍ୟାୟ ଦାବିରେ ମହାଲିଙ୍ଗରେ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇ , ସାଂସଦ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରା ଦେବା ବେଳେ ମଞ୍ଚ ତଳେ ଉପସ୍ଥିତ ଥିବା କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ନାରାବାଜି କରିଥିଲେ । ମହାଲିଙ୍ଗକୁ ବଦନାମ କରିବା ପାଇଁ ବିଜେପି କାହିଁକି ପ୍ରୟାସ କରୁଛି ବୋଲି ସାଂସଦଙ୍କୁ ଲୋକେ ପ୍ରଶ୍ନ କରିଥିଲେ ।

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବେଶ କିଛି ଦିନ ନୀରବ ରହିବା ପରେ ସ୍ୱତନ୍ତ୍ର ରଣନୀତି କରି ଗୋଟିଏ ପରେ ଗୋଟିଏ ଜନସଭା କରୁଛି ବିଜେଡି । ଅନ୍ୟପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ବିରୋଧୀ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ଲଢ଼େଇ ଆହୁରି ରୋଚକ ହେବାର ସମ୍ଭାବନା ରହିଛି ।