ନବରଙ୍ଗପୁର ଉମରକୋଟରେ ତେଲନଦୀ ବହୁମୁଖୀ ପ୍ରକଳ୍ପକୁ ବିରୋଧ । ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ବିରୋଧ ପାଇଁ ପ୍ରସ୍ତୁତ ହେଲେଣି ଲୋକେ । 

75

କନକ ବ୍ୟୁରୋ: ତେଲ ନଦୀ ବହୁମୁଖି ପ୍ରକଳ୍ପକୁ ବିରୋଧ। ନବରଙ୍ଗପୁର ଜିଲ୍ଲା ଉମରକୋଟ ତେଲନଦୀର ବିଲେଇ ଲାଠି ଠାରେ ନିର୍ମାଣ ହେବ ଏକ ବହୁ ମୁଖୀ ପ୍ରକଳ୍ପ । କିନ୍ତୁ ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ହିଁ ଏହାକୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହେଲାଣି । ଏହାକୁ ବିରୋଧ କରିବାକୁ ଉମରକୋଟ ଓ ଝରିଗାଁ ଅଞ୍ଚଳର କିଛି ଜନ ପ୍ରତିନିଧି ଓ ବିଭିନ୍ନ ଗ୍ରାମର ବାସିନ୍ଦା ଆରମ୍ଭ କଲେଣି ଜନ ସଭା । ନବରଙ୍ଗପୁର ଜିଲ୍ଲାରେ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତି ପୂରଣ ମିଳିନାହିଁ କିମ୍ବା ଥଇଥାନ କରାଯାଇନାହିଁ । ଗୋଟିଏ ପ୍ରକଳ୍ପର ବିସ୍ଥାପିତଙ୍କ ଦୁଃଖ ସରି ନଥିବା ବେଳେ ପ୍ରସ୍ତାବିତ ତେଲନଦୀ ବହୁମୁଖି ପ୍ରକଳ୍ପକୁ ନେଇ ବିସ୍ଥାପନର ଆଶଙ୍କା ଘାରିଛି । ଏଣୁ ପ୍ରସ୍ତାବିତ ତେଲନଦୀ ବହୁମୁଖି ପ୍ରକଳ୍ପକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା।

ନବରଙ୍ଗପୁର  ଉମରକୋଟ ଓ ଝରିଗାଁ ସୀମାରେ ତେଲନଦୀର ବିଲେଇ ଲାଠିରେ ହେବ ବହୁମୁଖୀ ପ୍ରକଳ୍ପ । ୧୭୪୯ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରୁ ୧୮ ମେଗାୱାଟ୍ ବିଜୁଳି ଉତ୍ପାଦନ ଲକ୍ଷ୍ୟ ରହିଛି । ଏହାଦ୍ୱାରା ଚନ୍ଦାହାଣ୍ଡି ବ୍ଲକର ୯ ହଜାର ୯୦୩ ହେକ୍ଟର ଜମିରେ ଜଳସେଚନ ହେବ । ତେଲନଦୀ ବହୁମୁଖୀ ପ୍ରକଳ୍ପ ଯୋଗୁଁ ଉମରକୋଟ୍ ଓ ଝରିଗାଁର ପ୍ରାୟ ୫୦ଟି ଗାଁ ଜଳମଗ୍ନ ହେବ । ପ୍ରାୟ ୧୦ ହଜାର ପରିବାର ଭିଟାମାଟି ହରାଇବେ । ରାଇଘର ବ୍ଲକର କିଛି ଗାଁ ବି ପ୍ରଭାବିତ ହେବାକୁ ଆଶଙ୍କା ରହିଛି । ତେଣୁ ଏହି ପ୍ରକଳ୍ପକୁ ବିରୋଧ କରୁଛି ସଂଘର୍ଷ କମିଟି । ପୂର୍ବରୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ବାବଦରେ ସଠିକ୍ କ୍ଷତିପୂରଣ ମିଳିନଥିବା ବେଳେ ଆଜି ଯାଏଁ ସେ କ୍ଷତିର କ୍ଷତ ଶୁଖି ନାହିଁ । ତେଣୁ ଆଗ କ୍ଷତିପୂରଣ ଦିଆଯାଉ ନହଲେ ଏ ପ୍ରକଳ୍ପ କରିବାକୁ ଦିଆଯିବ ନାହିଁ ବୋଲି ଲୋକେ ଅଡି ବସିଛନ୍ତି ।

ତେଲନଦୀ ବହୁମୁଖୀ ପ୍ରକଳ୍ପ ପାଇଁ ୨୦୧୮ରୁ ସର୍ଭେ ସରିଥିବା ବେଳେ ପ୍ରକଳ୍ପ କାମ ଆଗକୁ ନେବା ପାଇଁ ଗତ ମାର୍ଚ୍ଚ ୧୭ ତାରିଖରେ ସଂସଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାଂସଦ ରମେଶ ମାଝୀ । କେନ୍ଦ୍ରୀୟ ଜଳ ଆୟୋଗରୁ ଅନୁମତି ଦେବାକୁ ଦାବି କରିଥିଲେ ସାଂସଦ ।