କନକ ବ୍ୟୁରୋ : ପୁଣି ତେଜିଛି ଖରସ୍ରୋତା ଆନ୍ଦୋଳନ । ଖରସ୍ରୋତା ନଦୀ ପଠାରେ ଆନ୍ଦୋଳନ କରି ମହିଳା, ପୁରୁଷ ଓ ଛୋଟ ପିଲାମାନେ ବସିରହିବା ପରେ ମଶାଲ ଶୋଭାଯାତ୍ରା କରିଛନ୍ତି । ନଦୀକୁ ବନ୍ଦାପନା କରି ଏମାନେ ନିଆରା ଢଙ୍ଗରେ ପ୍ରତିବାଦ କରି ମଶାଲ ଶୋଭାଯାତ୍ରା କରିଛନ୍ତି । ଆନ୍ଦୋଳନାକରୀ ମାନେ ମରିବୁ ପଛେ ପାଣି ଛାଡିବୁ ନାହିଁ ବୋଲି ଧମକ ଦେଇଛନ୍ତି ।

Advertisment

କେନ୍ଦ୍ରାପଡା ଜିଲା ରାଜକନିକା ଓ ଆଳି ବ୍ଲକ ମଧ୍ୟ ଭାଗରେ ଥିବା ଖରସ୍ରୋତା ନଦୀରୁ ପାଣି ନେଇ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୮୯୨ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ କରିବାକୁ ସରକାର ପୂର୍ବରୁ ଘୋଷଣା କରିଥିଲେ । ତେବେ ଏହି ଘୋଷଣା ପରଠାରୁ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ବିରୋଧ କରିଆସୁଛି । ଏବେ ପ୍ରଶାସନ କାମ ଆରମ୍ଭ କରିବା ଲାଗି ଆଳି ଓ ରାଜକନିକାରେ ପୋଲିସ ଫୋର୍ସ ମୁତୟନ କରିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି । ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ଅଂଚଳର ଶତାଧିକ ପୁରୁଷ, ମହିଳା ଓ ଛୋଟପିଲା ।

ପ୍ରକଳ୍ପକୁ ପ୍ରାୟ ବର୍ଷେ ହେଲା ବିରୋଧ କରିଆସୁଛି ଖରସ୍ରୋତା ବଂଚାୟ ସମିତି । ଏପଟେ ପ୍ରଶାସନ କିନ୍ତୁ ଭରିଗଦା ପଡିଆଠାରେ ପ୍ରସ୍ତାବିତ ପ୍ରକଳ୍ପ କାମ ଆରମ୍ଭ କରିଛି । ଏଥିପାଇଁ ସ୍ଥାନୀୟ ବୁଣିଆଡିଆ ପଡିଆ ସମେତ ଭରିଗଦା, ବରୁଣାଡିଆ ଓ ବାଳକାଟି ପଂଚାୟତରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ପ୍ରତିବାଦକୁ ଦେଖି ପ୍ରକଳ୍ପ ସ୍ଥଳରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କନିକା ତହସିଲଦାର ପ୍ରେମାନନ୍ଦ ନାୟକ ନିଜେ ଏହି ପ୍ରକଳ୍ପ କାମର ତଦାରଖ କରୁଛନ୍ତି । ହେଉଥିବା ପ୍ରତିବାଦ ଉପରେ ସତର୍କ ନଜର ରଖିଛି ସ୍ଥାନୀୟ ପ୍ରଶାସନ ।