ଆରମ୍ଭ ହେଲା ମାଲକାନଗିରିର ପ୍ରସିଦ୍ଧ ବଡଯାତ୍ରା । କରୋନା କଟକଣା ପାଇଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ, ନାଇଟ୍ କର୍ଫ୍ୟୁ ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି । 

109

କନକ ବ୍ୟୁରୋ : ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରା । ଆନ୍ଧ୍ରପ୍ରଦେଶର ପୋଲେରୁ ଠାରୁ ଆରମ୍ଭ ହୋଇ ମାଲାକନଗିରି ଯାଏଁ, ୧୦ ଦିନ ବ୍ୟାପି ଚାଲିବ ଏହି ବଡ ଯାତ୍ରା । ଏହି ଯାତ୍ରା ଉପରେ ଏବେ କରୋନା କଟକଣା ଲାଗିଥିବାରୁ ମାଲକାନଗିରି ସମେତ ପଡୋଶୀ ରାଜ୍ୟର ଅଗଣିତ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବିଶେଷ କରି ୨୩ ତାରିଖ ଠାରୁ ୩୧ ତାରିଖ ଯାଏଁ ନାଇଟ୍ କର୍ଫ୍ୟୁ ଲାଗିଥିବା ବେଳେ ଏହାର ପୁନଃବିଚାର କରିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଆନ୍ଧ୍ରପ୍ରଦେଶରେ ଭକ୍ତଙ୍କ ସମାଗମ । ପୋଲେରୁ ତାଡକା କୁଣ୍ଡରେ ଏକାଠି ହୋଇଛନ୍ତି ୧୦ ହଜାର ଶ୍ରଦ୍ଧାଳୁ । ନୌକା ବିହାର କରି ଠାକୁରଙ୍କୁ ପାଛୋଟି ଆଣୁଛନ୍ତି ଶ୍ରଦ୍ଧାଳୁ । ୨ ବର୍ଷରେ ଥରେ ମାଲକାନଗିରି ଜିଲ୍ଲାରେ ଆୟୋଜିତ ହୁଏ ପ୍ରସିଦ୍ଧ ବଡଯାତ୍ରା । ଆଦିବାସୀଙ୍କ ଅଧିଷ୍ଠାତ୍ରୀ ଦେବାଦେବୀ ପ୍ରଭୁ କାନାମରାଜୁ, ବାଲାରାଜୁ, ପୋତରାଜୁ ଓ ଦେବୀ ମୁତ୍ୟାଲୁଆମ୍ମା ଅର୍ଥାତ କୃଷ୍ଣ, ଭୀମ, ଅର୍ଜୁନ ଓ ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ବାଉଁଶ ଓ ମୟୂର ପୁଚ୍ଛରେ ତିଆରି କରାଯାଏ । ସେହି ପ୍ରତିମୂର୍ତ୍ତିକୁ ତାଡକା କୁଣ୍ଡରେ ସ୍ନାନ କରାଯାଏ । ଆଉ ସ୍ନାନଯାତ୍ରା ସାରି ମାଲକାନଗିରି ଅଭିମୁଖେ ବଡ ଯାତ୍ରା ଆରମ୍ଭ ହୁଏ । ପ୍ରାୟ ୧୦୦ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରି ମାଲକାନଗିରି ମାଉଁଳି ମା ମନ୍ଦିର ପହଞ୍ଚନ୍ତି ଠାକୁର ।

ବଡ଼ ଯାତ୍ରାରେ ଲାଗିଲା କରୋନା କଟକଣା । ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ନାଇଟ କର୍ଫ୍ୟୁ ଲଗାଇଲା ଜିଲ୍ଲା ପ୍ରଶାସନ । ଚଳିତବର୍ଷ କୋଭିଡ କାଳରେ ବଡଯାତ୍ରା ଅନୁଷ୍ଠିତ ହୋଇଥିବାରୁ ପୋଲେରୁ ନଈ ଘାଟରେ ବ୍ୟାପକ ବ୍ୟବସ୍ଥା କରିଥିଲା ଜିଲ୍ଲା ପ୍ରଶାସନ । ହଜାର ହଜାର ସଂଖ୍ୟକ ଲୋକଙ୍କ ଭିଡକୁ ଦେଖି ଯାତ୍ରା ଉପରେ କଟକଣା ଲଗାଇଛି ପ୍ରଶାସନ । ୨୩ ତାରିଖରୁ ୩୧ ଯାଏଁ ରାତି ୯ରୁ ସକାଳ ୬ ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ୨୦୦ ଭକ୍ତ ଓ ସେବାୟତ କୋଭିଡ ନିୟମ ମାନି ରୀତିନୀତି ପାଳିବାକୁ ଅନୁମତି ଦିଆଯାଇଛି । ଉଠା ଦୋକାନ, ଡିଜେ, ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନା ବଜାର ଉପରେ ରୋକ ଲାଗିଛି । ଆବଶ୍ୟକ ସ୍ଥଳେ ୧୪୪ ଧାରା ଜାରି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବଡଯାତ୍ରାରେ ରାତିରେ ହିଁ ଠାକୁର ଗୋଟିଏ ମଣ୍ଡପରୁ ଆଉ ଗୋଟିଏ ମଣ୍ଡପକୁ ଯାତ୍ରା କରୁଥିବାରୁ ପ୍ରଶାସନର ଏପରି ନିଷ୍ପତିକୁ ବିରୋଧ କରିଛନ୍ତି ଜିଲ୍ଲାବାସୀ ।

ମାଲକାନଗିରି ଜିଲ୍ଲା ସମେତ ସମଗ୍ର ଓଡିଶା ଓ ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହ ଜଡିତ ପ୍ରସିଦ୍ଧ ବଡ ଯାତ୍ରା । ତେଣୁ ପ୍ରଶାସନ ଏହି ନିଷ୍ପତିର ପୁନଃବିଚାର କରିବାକୁ ଦାବି ହୋଇଛି ।