କନକ ବ୍ୟୁରୋ: ଖୁଲମ ଖୁଲା ମଦ ତିଆରି, ବେଧଡକ ବିକ୍ରୀ । ସବୁ ଦେଖି ନିରବ ପୋଲିସ । ନିରବ ଅବକାରୀ ବିଭାଗ । ରାସ୍ତା କଡ ପାଲଟିଛି ମଦ ବିକ୍ରିର ମୁଖ୍ୟ ଆଡାସ୍ଥଳ । ଏ ଦୃଶ୍ୟ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଂଚଳରେ । ଖଲ୍ଲିକୋଟ ଥାନ ଅଧିନ ବାଦପଲ୍ଲୀ, ଡିମିରିଆ, ବାଣିଆ ଓ ଚିକିଲି ପଞ୍ଚାୟତରେ ନିୟମିତ ରନ୍ଧା ହେଉଛି ବ୍ୟାରେଲ ବ୍ୟାରେଲ ବେଆଇନ ଦେଶୀ ମଦ । ଏହି ପଞ୍ଚାୟତରେ ବସବାସ କରୁଥିବା ଆଦିବାସୀମାନେ ଏହି ଚୋରା ଦେଶୀ ମଦ ବ୍ୟବସାୟ କରିଥାନ୍ତି । ତେବେ ଏହି ମଦ ବ୍ୟବସାୟ କୌଣସି ଉପାନ୍ତ ଇଲାକା କି କୌଣସି ପାହାଡିଆ ଅଞ୍ଚଳର ନୁହେଁ, ରାସ୍ତା କଡାରେ ହେଉଛି ।
ନିର୍ମଳଝର ଠାରୁ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦିନ ରାତି ଦେଶୀ ମଦ ବ୍ୟବସାୟ ହେଉଛି । ସେହି ରାସ୍ତା ଦେଇ ପୋଲିସ, ଅବକାରୀ ବିଭାଗ ଓ ଜିଲ୍ଲା ପ୍ରସାଶନ ଯିବା ଆସିବା କରୁଥିବା ବେଳେ ନିରବ ଦ୍ରଷ୍ଟା ସାଜିଛନ୍ତି । ସେପଟେ ସରକାରଙ୍କ ରାଜସ୍ୱହାନୀ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ନାମକୁ ମାତ୍ର କିଛି ନିରିହ ଲୋକଙ୍କୁ ଧରି କୋର୍ଟ ଚାଲଣ କରୁଛି । କିନ୍ତୁ ମଦ ବ୍ୟବସାୟ କରୁଥିବା ଲୋକମାନଙ୍କୁ ଧରିବାରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ସେପଟେ ଖଲ୍ଲିକୋଟ ଅଂଚଳର ଏହି ସବୁ ଜାଗାରୁ ଚୋରା ଦେଶୀ ମଦ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମର ବିଭିନ୍ନ ଜାଗାକୁ ପଠାଇଥାନ୍ତି ।

Advertisment

ଜିଲ୍ଲା ଅବକାରୀ ବିଭାଗର ସୂଚନା ଅନୁଯାୟୀ ୨୦୨୩ରେ ୪୩୨ଟି ମାମଲା ଖଲ୍ଲିକୋଟ ଅଞ୍ଚଳରେ ହୋଇଥିବା ବେଳେ ୩୯୬ ଜଣଙ୍କୁ ଗିରଫ କରିଥିବା କହିଛନ୍ତି । ତେବେ ଅବକାରୀ ବିଭାଗ କେବଳ ମଦ ପରିବହନ ସମୟରେ ଚଢାଉ କରୁଥିବା ବେଳେ ମଦ ଭାଟିରେ ଚଢାଉ କରି ମଦ ଭାଟି ବନ୍ଦ କରି ପାରୁନି । ସେପଟେ ପୂର୍ବ ପୁରଷରୁ କରୁଥିବା ମଦ ବ୍ୟବସାୟ ବନ୍ଦ କରିବୁ ନାହିଁ ବୋଲି କହି ପୋଲିସକୁ ଧମକ ଦେଇଛନ୍ତି ଆଦିବାସୀ । ଯଦି ମଦ ଭାଟି ବନ୍ଦ କରିବୁ ତେବେ ସବୁ ପରିବାରରୁ ଜଣଙ୍କୁ ସରକାରି ଚାକିରୀ ଦିଆଯାଉ ବୋଲି ଅଜବ ଦାବି କରିଛନ୍ତି ।