କନକ ବ୍ୟୁରୋ: ଶୂନଶାନ ଜଙ୍ଗଲୀ ଇଲାକା । କିଟ୍ କିଟ୍ ଅନ୍ଧାର ରାତି । ଘଞ୍ଚ ଜଙ୍ଗଲରେ ଚାଲିଛି ଲଢ଼େଇ । ପାଦେ ପାଦେ ବିପଦ । ଗାଁ ଭିତରକୁ ପଶି ଆସୁଛନ୍ତି ହାତୀପଲ । ସେମାନଙ୍କୁ ଘଉଡେଇବା ପାଇଁ ହାତରେ ମଶାଲ, ଟର୍ଚ୍ଚ ଲାଇଟ୍ ଧରି ସାରାରାତି ଉଜାଗର ରହୁଛନ୍ତି ଗ୍ରାମବାସୀ । ୮ରୁ ୧୦ ଜଣ ଯୁବକ ହାତୀ ଜଗୁଛନ୍ତି । ହାତୀ ଆସିଲେ ବାଣ ଫୁଟାନ୍ତି, ବଡ ପାଟି କରି ଘଉଡାଇଥାନ୍ତି ।

Advertisment

ପ୍ରାୟ ବର୍ଷ ତମାମ୍ ଏମିତି ନିଜ ଅଞ୍ଚଳର ସୁରକ୍ଷାରେ ଲାଗି ରହିଛନ୍ତି ରାଉରକେଲା ସହରର ପାଖରେ ଥିବା ଗାଁର ଯୁବକମାନେ । ସରଣ୍ଡା ଜଙ୍ଗଲରୁ ଜନବସତି ମୁହାଁ ହେଉଛନ୍ତି ହାତୀପଲ । ରାଉରକେଲା ସହର ନିକଟରେ ଥିବା ଗାଁ ଝାରମୁଣ୍ଡା, ରେଙ୍ଗାଲି, ନୂଆଟୋଲୀ, ବରକାନି, ବୀଜିବନ୍ଧ ଓ ବାହାଗଡ଼ରେ ପ୍ରତିିଦିନ ହାତୀ ମଣିଷ ଲଢେଇ ଚାଲିଛି । ଏହି ଲଢ଼େଇକୁ ରୋକିବା ପାଇଁ ରାପିଡ୍ ଆକ୍ସନ୍ ଟିମ୍ ଗଠନ କରାଯାଇଛି । କଂଟ୍ରୋଲ ରୁମ୍ର ବ୍ୟବସ୍ଥା କରିବା ସହ ଟୋଲ ଫ୍ରି ନମ୍ବର ଜାରି କରାଯାଉଛି । ରେଡିଓ, ଏସ୍ଏମ୍ଏସ୍ ମାଧ୍ୟମରେ ସତର୍କ କରାଯାଉଛି । ଗାଁକୁ ହାତୀ ପଶିଆସିଥିବା ଖବର ପାଇଁ ସଂପୃକ୍ତ ଗାଁରେ ପହଞ୍ଚି ଘଉଡ଼େଇବା ପାଇଁ ଚେଷ୍ଟା କରନ୍ତି ରାପିଡ୍ ଆକ୍ସନ୍ ଟିମ୍ ।

ତେବେ ଗଜ ସୁରକ୍ଷା ସହ ଜନ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି । ତଥାପି ହାତୀ-ମଣିଷ ଲଢେଇରେ ଅବସାନ ଘଟୁନାହିଁ । ଯାହାର ପରିଣାମ ସୂରୁପ ରାଉରକେଲା ବନାଞ୍ଚଳରେ ୨୦୨୩ରେ ହାତୀ ଆକ୍ରମଣରେ ୫ ଜଣଙ୍କ ଜୀବନ ଯାଇଛି ।