ଜିନ୍ଦଲ କମ୍ପାନୀର ଚୂନ ପଥର ଖଣି ପାଇଁ ଜମି ଅଧିଗ୍ରହଣକୁ ବିରୋଧ । ପରିବେଶ ସମ୍ପର୍କିତ ଜନଶୁଣାଣି ବେଳେ ପ୍ରତିବାଦକୁ ଓହ୍ଲାଇଲେ ସ୍ଥାନୀୟ ଆଦିବାସୀ ।

162

କନକ ବ୍ୟୁରୋ : ଜିନ୍ଦଲ କମ୍ପାନୀର ଚୂନପଥର ଖଣି ପାଇଁ ଜମି ଅଧିଗ୍ରହଣକୁ ଜୋରଦାର ବିରୋଧ ହୋଇଛି । ପରିବେଶ ସମ୍ପର୍କିତ ଜନଶୁଣାଣି ବେଳେ ପ୍ରତିବାଦକୁ ଓହ୍ଲାଇଛନ୍ତି ସ୍ଥାନୀୟ ଆଦିବାସୀ । ଫଳରେ ପୁଣି ଜୋରଦାର ହୋଇଛି ପେଶା ଆନ୍ଦୋଳନ ।

ସୁନ୍ଦରଗଡ଼ କୁତ୍ରା ତେଲିଘଣାରେ ରହିଛି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ସିମେଣ୍ଟ କାରଖାନା । ଏଥିପାଇଁ ଖତକୁର ବାହାଲରେ ଥିବା ଚୂନ ପଥର ଖଣି ପାଇଁ ୧୫୬ ହେକ୍ଟର ଜମି ଅଧିଗ୍ରହଣ ହେବ । ତେଣୁ ପରିବେଶ ସମ୍ପର୍କିତ ଜନଶୁଣାଣି କରାଯାଉଛି । ହେଲେ ଏହି ଜନଶୁଣାଣିକୁ ବିରୋଧ କରିବା ପାଇଁ ଆଦିବାସୀମାନେ ଅଣ୍ଟା ଭିଡିଛନ୍ତି । ଜୀବନ ଦେବୁ ପଛେ ଜମି ଦେବୁ ନାହିଁ ବୋଲି କହି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ଜିଲ୍ଲାରେ ପୁଣିଥରେ ମୁଣ୍ଡ ଟେକିଛି ପେଶା ଆନ୍ଦୋଳନ ।

ଆଜିଠୁ ଠିକ୍ ୨ ବର୍ଷ ପୂର୍ବେ ନିଜ ଗାଁରେ ନିଜ ଶାସନର ଦାବି ନେଇ କୁତ୍ରାରେ ପେଶା ଆନ୍ଦୋଳନ ମୁଣ୍ଡ ଟେକିଥିଲା । ନିଜ ଗାଁରେ ନିଜେ ଶ।।ସନ କରିବେ ବୋଲି ଆଦିବାସୀମାନେ ଗାଁ ଭିତରକୁ ପ୍ରଶାସନର ପ୍ରବେଶ ବାରଣ କରିଥିଲେ । ହେଲେ କିଛି ଦିନ ହେବ ଏହି ଆନ୍ଦୋଳନ ଥମି ଯାଇଥିଲା । ଆଉ ଏବେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି । ଆଦିବାସୀଙ୍କ ଆନ୍ଦୋଳନକୁ ଦେଖି ପ୍ରଶାସନ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରିଛି ।