ରାଜନଗରରେ ଛାତ ପଡୁଥିବା ବେଳେ ଭୁସୁଡିପଡିଲା ନିର୍ମାଣଧିନ ପୋଲ । ପୋଲର ନିମ୍ନମାନ କାମକୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ।

90

କନକବ୍ୟୁରୋ :ନିର୍ବାଚନ ସମୟରେ ନେତା ଗାଁକୁ ଗାଁ ବୁଲୁଥିବା ବେଳେ ଦିନ ଦ୍ୱିପ୍ରହରରେ ଆଖିରେ ଆଙ୍ଗୁଳି ଗେଂଜି ସରକାରୀ ବାବୁମାନେ କିପରି ନିମ୍ନ ମାନର କାମ କରି ସରକାରୀ ଟଙ୍କାକୁ ହଡପ କରିପାରନ୍ତି ତାହାର ନଗ୍ନ ଉଦାହରଣ ସାମ୍ନାକୁ ଆସିଛି । କେନ୍ଦ୍ରାପଡା ରାଜନଗର ବ୍ଲକ ଉଦ୍ୟାନ ଗାଁର କଂଟିଆନାଳ ଉପରେ ନିର୍ମାଣଧିନ ସେତୁ ଭୁଷୁଡି ପଡିଛି । ଦୋଷ ଲୁଚାଇବାକୁ ଯାଇ କର୍ତୃପକ୍ଷ ରାତାରାତି ଭୁଷୁଡି ପଡିଥିବା ସେତୁକୁ ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି ।

ଏବେ ପୋଲର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ରାପଡା ରାଜନଗର ବ୍ଲକ ବାଘମାରୀ ପଂଚାୟତ ଉଦ୍ୟାନ ଠାରୁ ଦଳେଇ ସାହି ପର୍ଯ୍ୟନ୍ତ ରାସ୍ତାର କଂଟିଆନାଳ ଉପରେ ବିଜୁ ସେତୁ ନିର୍ମାଣ ହେଉଛି । ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୭କୋଟି ବ୍ୟୟରେ ନିର୍ମାଣଧିନ ସେତୁର ଛାତ ଭୁଷୁଡି ପଡିଛି । ଠିକାସଂସ୍ଥା ଦୋଷ ଲୁଚାଇବାକୁ ଯାଇ ରାତାରାତି ଜେସିବି ଲଗାଇ ପୋଲ ଭାଙ୍ଗି ଦେବା ଚର୍ଚ୍ଚାର ବିଷୟ ପାଲଟିଛି । ପୋଲର କାମକୁ ନେଇ ସ୍ଥାନୀୟ ବାସିନ୍ଦା କରୁଥିବା ଅଭିଯୋଗ ସତ୍ୟ ପ୍ରମାଣିତ କରିଛି ।

ପୋଲର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି । କଂଟିଆନାଳ ସେତୁ ଉପରେ ବାଘମାରୀ ଓ କେରୁଆଁପାଳ ପଂଚାୟତର ୧୪ଟି ଗାଁର ଲୋକ ନିର୍ଭର କରନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରିକା ପାଇଁ ସେତୁ ଭୁଷୁଡି ପଡିଥିବା ଅଂଚଳବାସୀଙ୍କ ଅଭିଯୋଗ । ତୁରନ୍ତ ତଦନ୍ତ କରି ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଠିକାସଂସ୍ଥାର କର୍ମଚାରୀ ଏହି ପୋଲ ଭୁଷୁଡିବା ଘଟଣାକୁ ସ୍ୱାୀକାର କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲୁନାହାଁନ୍ତି । ସେତୁ କାର୍ଯ୍ୟ ଆରମ୍ଭରୁ ଫଳକ ନମାରିବା ଓ ନିମ୍ନମାନର କାର୍ଯ୍ୟକୁ ନେଇ ବାରମ୍ବାର ଅଂଚଳବାସୀ ଅଭିଯୋଗ କରୁଥିଲେ ମଧ୍ୟ କାହିଁକି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିଲେ, ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।