ଆମେ ଧରିବାକୁ ଯାଉଥିଲୁ, ସେ ଆଖି ଆଗରେ ଡ୍ରେନରେ ଭାସିଗଲା…

231

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଏକ ଡ୍ରେନରେ ଭାସିଯାଇଥିବା ଛାତ୍ରଙ୍କ ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ । ଛାତ୍ର ଜଣକ ସାଇକେଲରେ ଫେରୁଥିବା ବେଳେ ଡ୍ରେନ ସୁଅରେ ପଡି ନାଳରେ ଭାସିଯାଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବାମୁତାବକ ଛାତ୍ର ଜଣକ ଡ୍ରେନ ପାଖ ଦେଇ ଆସୁଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ଫଳରେ ସେ ଡ୍ରେନରେ ପଡି ଭାସିଯାଇଥିଲେ ।

ଜଣେ ଯୁବକଙ୍କ କହିବାନୁସାରେ ଛାତ୍ର ଜଣକ ଡ୍ରେନରେ ପଡି ସାହାଯ୍ୟ ପାଇଁ ହାତ ଦେଖାଉଥିଲେ । ସେହି ସମୟରେ ଯୁବକ ଜଣକ ଡ୍ରେନକୁ ଡିଆଁ ମାରିଥିଲେ । ହେଲେ ସୁଅ ଅଧିକ ଥିବାରୁ ଛାତ୍ର ଜଣକ ଡ୍ରେନରେ ଭାସି ଯାଇଥିଲେ । ତେଣୁ ସେମାନେ ଛାତ୍ରକୁ ବହୁ ଖୋଜା ଖୋଜି କରିଥିଲେ ହେଲେ ତାର କୌଣସି ପତ୍ତ ପାଇନଥିଲେ ।

ପରେ ସ୍ଥାନୀୟ ଲୋକମାନେ ଏନେଇ ପୋଲିସ ଓ ଦମକଳବାହିନୀକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରକୁ ଖୋଜା ଖୋଜି ଆରମ୍ଭ କରିଥିଲେ । ହେଲେ ତାର ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ ।

ଆଜି ଭୁବନେଶ୍ୱରରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଡ୍ରେନର ପ୍ରଖର ପାଣି ସୁଅରେ ଭାସିଯାଇ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି । ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର ବୋଲି ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଉତ୍ତେଜନା ଲାଗି ରହିଛି । ଏହି ଘଟଣାକୁ ନେଇ ବିଏମସି ଉପରେ ଅସନ୍ତୋଷ ଜାହିର କରିଛନ୍ତି ଲୋକ ।