କନକ ବ୍ୟୁରୋ : ନିୟମ ଉଲ୍ଲଙ୍ଘନ କରୁଥିବା ବାର୍ ଉପରେ ଚଢାଉ କଲା ବିଏମସି, ହେଲେ ହଟ୍ଟହଟ୍ଟା ହେଲେ ସାଧାରଣ ଲୋକେ । ପରିବାର ସହ ଖାଇବା ପିଇବା ପାଇଁ ଯାଇଥିବା ଲୋକଙ୍କୁ ନିଜ ମୁହଁ ଲୁଚାଇବାକୁ ପଡିଥିଲା । ଯଦିଓ ସେମାନଙ୍କର କିଛି ଦୋଷ ନଥିଲା । କିନ୍ତୁ ଏମାନଙ୍କୁ ଏମିତି ବ୍ୟବହାର କରାଯାଇଥିଲା, ଯେମିତି ବହୁତ ବଡ଼ ଭୁଲ କରି ଧରାପଡିଛନ୍ତି ।
ବିଏମସି କଲା ରେଡ୍, ହଟ୍ଟହଟ୍ଟା ହେଲେ ସାଧାରଣ ଲୋକ । ଭୁଲ କଲା ବାର୍ ମାଲିକ, ନିର୍ଯାତନା ପାଇଲେ ଗ୍ରାହକ । ବାର୍ ରେଡ୍ ବେଳେ ଏଭଳି ଏକ ପରିବେଶରୁ ଖସିଯିବାକୁ ଉଦ୍ୟମ କରୁଛନ୍ତି ଲୋକ । ଏମାନଙ୍କ ଭିତରେ ଅନେକ ବ୍ୟକ୍ତି ଏପରି ଅଛନ୍ତି, ଯେଉଁମାନେ ପରିବାର ସହ ଖାଇବା ପିଇବା ପାଇଁ ଆସିଥିଲେ । ଏବେ ସେମାନଙ୍କୁ ମୁହଁ ଲୁଚାଇବାକୁ ପଡୁଛି । ଯଦିଓ ସେମାନେ କିଛି ଦୋଷ କରିନାହାନ୍ତି । କିନ୍ତୁ ଏମାନଙ୍କୁ ଏମିତି ବ୍ୟବହାର କରାଯାଉଛି, ଯେମିତି ବହୁତ ବଡ଼ ଭୁଲ କରି ଧରାପଡିଛନ୍ତି । କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସାଧାରଣ ଲୋକଙ୍କୁ ଅପରାଧୀ ଭଳି ଚିତ୍ରଣ କରିବାକୁ ପଛାଇ ନାହାନ୍ତି । ସତରେ ଯେମିତି ଆମେ ଆଫଗାନିସ୍ତାନ ଭଳି ଏକ ଦେଶରେ ରହୁଛେ, ଯେଉଁଠି ବ୍ୟକ୍ତି ସ୍ୱାଧୀନତା ନଥାଏ ।
ରାତି ୧୦ଟା ପରେ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ରହିଛି । ଏହାର ଉଲ୍ଲଙ୍ଘନ କରିବା ଉଚିତ ନୁହେଁ । କିନ୍ତୁ ଏହି କରୋନା ନିୟମ, ନିର୍ବାଚନ ପ୍ରଚାର, ଆନ୍ଦୋଳନ ଓ ପ୍ରତିବାଦ ରାଲି, ମିଶ୍ରଣ ପର୍ବ ଆଦିରେ କିପରି ପାଳନ କରାଯାଏ, ତାହା ସମସ୍ତଙ୍କୁ ଜଣାଅଛି ।
କୁମ୍ଭମେଳାଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାରରେ ଜନଗହଳି ହୋଇଛି । ସେଠାରେ କରୋନା ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ନେତା ଓ କର୍ମୀ । ପୁଲିସ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ, ସମସ୍ତେ ଏହିସବୁ ସ୍ଥାନରେ ନିରବଦ୍ରଷ୍ଟ୍ରା ପାଲଟିଥାନ୍ତି । ଯେଉଁମାନେ କରୋନା ନିୟମକୁ ଭାଙ୍ଗିଥାନ୍ତି, ସେମାନଙ୍କ ମଧ୍ୟରେ ଆଦୌ ଗ୍ଳାନି ନଥାଏ । କିନ୍ତୁ ବାର୍ ରେଡ ବେଳେ ସୁପର ଆକ୍ଟିଭ ମୋଡକୁ ଆସିଯାଉଛନ୍ତି ପ୍ରଶାସନ ଓ ପୋଲିସ । ବ୍ୟସ୍ତ ବହୁଳ ଜୀବନରୁ ଯେଉଁମାନେ ସମୟ କାଢ଼ି ବାରକୁ ଆସିଥାନ୍ତି ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇଯାଉଛି ।
ଏହି ଘଟଣାରେ ଭୁଲ କରିଛନ୍ତି ବାର ମାଲିକ । ରାତି ୧୦ଟା ପରେ ବାର୍ ଚାଲୁରଖିବା ଏବଂ ଲିଫ୍ଟ ଭିତରେ ବିଏମସି ଅଧିକାରୀଙ୍କୁ ବନ୍ଦ କରିବା ଭଳି ଅପରାଧିକ କାମ କରିଛନ୍ତି । କିନ୍ତୁ ଯେଉଁମାନେ ସ୍ତ୍ରୀ ଓ ପିଲାଙ୍କୁ ଧରି ବାରକୁ ଆସୁଛନ୍ତି, ସେମାନେ କ’ଣ ବେଆଇନ କାର୍ଯ୍ୟ କରିଛନ୍ତି । ସେମାନଙ୍କୁ ଏଭଳି ଅପରାଧୀ ଭାବେ କାହିଁକି ବ୍ୟବହାର କରାଯିବ । ସମସ୍ତେ କରୋନା ନିୟମ ମାନିବା ଉଚିତ । ଏଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ । କିନ୍ତୁ ଏହି ନିୟମ ବଡ଼ ବଡ଼ିଆଙ୍କ କ୍ଷେତ୍ରରେ ବି ଲାଗୁ ହେବା ଉଚିତ । କେବଳ ଅସହାୟ ଲୋକଙ୍କ ଉପରେ ନୁହେଁ ।