ଚିନ୍ତା ବଢାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ବଢିଲା ଗୋଷ୍ଠୀ ସଂକ୍ରମଣର ଆଶଙ୍କା, ୩ ଦିନରେ ୪ ଶହ ଟପିଛି ଲୋକାଲ କେସ ।

2,348

କନକ ବ୍ୟୁରୋ : ରାଜ୍ୟରେ ଏବେ ଦିନକୁ ପାଖାପାଖି ୫ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୩ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ପାର୍ କରିଛି । ତେବେ ଚିିନ୍ତାର କାରଣ ହେଉଛି ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସଂକ୍ରମିତ ହେଉଛନ୍ତି । ଗତ ୩ ଦିନରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪ଶହ ଟପିଛି । ଯାହା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବଢାଇଛି ।

ଜୁଲାଇ ୩ରେ ୫୬୧, ଜୁଲାଇ ୪ରେ ୪୯୫, ଜୁଲାଇ ୫ରେ ୪୬୯ । ଗତ ୩ ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣର ଏହି ଗ୍ରାଫ ଚିନ୍ତା ବଢାଇଦେଉଛି । ୩ ଦିନରେ ଆକ୍ରାନ୍ତ ସଂଖ୍ୟା ୧୫ ଶହ ପାର୍ କରିଛି । ଶନି, ରବି ସଟଡାଉନ୍ ଚାଲିଛି । ମଲ, ମନ୍ଦିର ବନ୍ଦ ରହିଛି । ବିମାନ ଓ ଟ୍ରେନ୍ ବନ୍ଦ , କଟକଣା ଭିତରେ ଚାଲିଛି ଗାଡି ମୋଟର । ତଥାପି ସଂକ୍ରମଣରେ ବ୍ରେକ୍ ଲାଗୁନି । ଆଉ ଏକ ଉଦବେଗର ବିଷୟ ହେଉଛି , ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସଂକ୍ରମିତ ହେଉଛନ୍ତି ।

ଗତ ୩ ଦିନରେ ୧୫ଶହ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୪୨୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଅର୍ଥାତ୍ , କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଗସ୍ତ ବିବରଣୀ ତଥ୍ୟ ମିଳିପାରୁନି । ବଢୁଥିବା ସ୍ଥାନୀୟ ସଂକ୍ରମଣକୁ ଦେଖି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି ।

ରାଜ୍ୟରେ ପ୍ରଥମ କରୋନା ରୋଗୀ, ମାର୍ଚ୍ଚ ୧୫ ତାରିଖରେ ଚିହ୍ନଟ ହୋଇଥିଲେ । ମେ’ ମାସ ୨୦ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଛୁଇଁଥିଲା । ହଜାରେରୁ ଦୁଇ ହଜାର ହେବାକୁ ଲାଗିଥିଲା ୧୨ ଦିନ ସମୟ । ଏବେ ମାତ୍ର ଦୁଇ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ ରହିଛି । ଏଥିରୁ ୬୨୨୪ ଜଣ ସୁସ୍ଥ ହୋଇସାରିଛନ୍ତି । ୨୮୦୦ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । କରୋନା ସଂକ୍ରମଣରେ ୩୬ ଜଣ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.